ପୁଣି ଅଚଳ ହେଲା ପେଣ୍ଟୋଗ୍ରାଫ ; ଅଟକିଛି ଇଣ୍ଟରସିଟି ଓ ହୀରାଖଣ୍ଡ ଏକ୍ସପ୍ରେସ

ରାୟଗଡା: ରାୟଗଡା କୋରାପୁଟ କେ.ଆର ଲାଇନରେ ପୁଣି ଅଚଳ ହେଲା ପେଣ୍ଟୋଗ୍ରାଫ । ଅଟକିଛି ଇଣ୍ଟରସିଟି ଏକ୍ସପ୍ରେସ ଓ ହୀରାଖଣ୍ଡ ଏକ୍ସପ୍ରେସ । ରାଉରକେଲାରୁ ଜଗଦଲପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ଇଞ୍ଜିନର ପେଣ୍ଟୋଗ୍ରାଫ କାଶୀପୁର ବ୍ଲକର ଲେଲିଗୁମ୍ବା ରାଉଳି ନିକଟରେ ଅଚଳ ହେବା ଯୋଗୁଁ କେ.ଆର ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । ଇଣ୍ଟରସିଟି ଏକ୍ସପ୍ରେସ ଲେଲିଗୁମ୍ମା ରାଉଳି ମଧ୍ୟରେ ଅଟକି ରହିଥିବା ବେଳେ, ଭୁବନେଶ୍ବରରୁ ଜଗଦଲପୁର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ଲେଲିଗୁମା ଠାରେ ଅଟକି ରହିଛି । ୩ ଘଣ୍ଟାରୁ ଅଧିକ ସମୟ ହେଲାଣି ଏହି ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ସକାଳୁ ସକାଳୁ ଏଭଳି ଘଟଣା ହୋଇଥିବାରୁ ଯାତ୍ରୀଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଟ୍ରେନ ଇଞ୍ଜିନକୁ ବିଦ୍ୟୁତ୍ ଯୋଗାଣ ନହେବାରୁ ଟ୍ରେନ ଆଗକୁ ଗଡିନଥିଲା ବୋଲି ସୂଚନା ମିଳିଛି । ରେଳବାଇ ବିଭାଗର ଟେକ୍ନିକାଲ ଟିମ ଘଟଣାସ୍ଥଳରେ ପହଞ୍ଚି ମରାମତି କରୁଛନ୍ତି । ୧୨ ଘଣ୍ଟା ମଧ୍ୟରେ ଏହି ରୁଟରେ ଦୁଇ ଦୁଇଟି ଟ୍ରେନର ପେଣ୍ଟୋଗ୍ରାଫ ଅଚଳ ହେବା ଘଟଣା ରେଳ ବିଭାଗକୁ ଚିନ୍ତାରେ ପକାଇଛି । ଏହି ରୁଟରେ ପେଣ୍ଟୋଗ୍ରାଫ କାହିଁକି ଅଚଳ ହେଲା ସେନେଇ ବିଭାଗ ତରଫରୁ ତଦନ୍ତ ଚାଲିଛି ବୋଲି କହିଛନ୍ତି ରାୟଗଡା ଷ୍ଟେସନ ମ୍ୟାନେଜର ।