ସୁନ୍ଦରଗଡ଼ରେ ବ୍ୟାରେଜ୍ ନିର୍ମାଣ ନେଇ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ: କହିଲେ, ଘରେ ଘରେ ପହଞ୍ଚିବ ପିଇବା ପାଣି

ରାଉରକେଲା: ଇବ୍ ନଦୀରେ ନିର୍ମାଣ ହେବ ୨ଟି ବ୍ୟାରେଜ୍ । ଏ ନେଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ୟାରେଜ୍ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଘରେ ଘରେ ପିଇବା ପାଣି ପହଞ୍ଚି ପାରିବ । ଚାଷୀର ଜମିକୁ ମଧ୍ୟ ଆବଶ୍ୟକୀୟ ଜଳ ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ହକି ଖେଳକୁ ସୁନ୍ଦରଗଡ଼ ଜିଲ୍ଲାର ଅବଦାନ ସମ୍ପର୍କରେ ମଧ୍ୟ ନିଜ ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ସବୁଥିରେ ସୁନ୍ଦରଗଡ଼ ଜିଲ୍ଲା ଆଗୁଆ, ସୁନ୍ଦରଗଡ଼ର ହକି ଖେଳାଳି ଦେଶର ଗୌରବ ବଢ଼ାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସରକାରଙ୍କ ସବୁ ଯୋଜନାରୁ ସୁବିଧା ନେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ମୋଟ ୪୯୩ କୋଟି ଟଙ୍କାରେ ନିର୍ମାଣ ହେବ ୨ଟି ବ୍ୟାରେଜ୍ । ସୁନ୍ଦରଗଡ଼ ସଦର ବ୍ଲକର କୋପସିଙ୍ଗା ଏବଂ କୁଡ଼ାବଗାଠାରେ ୨ଟି ବ୍ୟାରେଜ୍ ନିର୍ମାଣ ହେବ । କୋପସିଙ୍ଗା ବ୍ୟାରେଜ୍ ନିର୍ମାଣ ପାଇଁ ୨୪୮ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କୁଡାବଗା ବ୍ୟାରେଜ୍ ପାଇଁ ୨୪୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ୨ଟି ବ୍ୟାରେଜ୍ ନିର୍ମାଣ ହେଲେ ୧ ହଜାର ୨୧୬ ଏକର ଜମି ଜଳ ସେଚିତ ହେବା ସହ ମାଛ ଚାଷ ହୋଇପାରିବ । ଏହାସହ ଖରାଦିନେ ପାଣି ସମସ୍ୟା ଦୁର ହେବ । ସୁନ୍ଦରଗଡ଼ ସଦର ବ୍ଲକ, ଟାଙ୍ଗରପାଲି ବ୍ଲକ, ଲେଫ୍ରିପଡ଼ା ବ୍ଲକ, ବାଲିଶଙ୍କରା ସବଡେଗା ସହ ସୁନ୍ଦରଗଡ଼ ପୌରାଞ୍ଚଳବାସୀ ଏହି ବ୍ୟାରେଜ ଦ୍ୱାରା ଉପକୃତ ହେବେ ।

ଏଥିସହିତ ପଢ଼ନ୍ତୁ: ପଞ୍ଚାୟତ ନିର୍ବାଚନ ନେଇ ରାଜନୈତିକ ଦଳ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ ଆୟୋଗ

Leave a Reply