ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲ ହସ୍ତାନ୍ତରକୁ ବିରୋଧ: ମାର୍ଚ୍ଚ ୧ ରେ ରାଉରକେଲା ବନ୍ଦ

ରାଉରକେଲା: ରାଉରକେଲା ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ଘରୋଇ ସଂସ୍ଥା ଆପୋଲୋକୁ ହସ୍ତାନ୍ତର ନିଷ୍ପତ୍ତି ପ୍ରତିବାଦରେ ମାର୍ଚ୍ଚ ୧ ତାରିଖରେ ରାଉରକେଲା ବନ୍ଦ ଡାକରା । ରାଉରକେଲା ନାଗରିକ ସୁରକ୍ଷା କମିଟି ପକ୍ଷରୁ ଦିଆଯାଇଛି ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ।

୨୭ ଓ ୨୮ ତାରିଖରେ ସହରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଓ ପଦଯାତ୍ରା ଅନୁଷ୍ଠିତ ହେବ । ପରେ ମାର୍ଚ୍ଚ ୧ ତାରିଖ ବନ୍ଦ ପାଳନ କରାଯିବ । କେନ୍ଦ୍ର ସରକାର ୪ ଶହ କୋଟି ଟଙ୍କା ଖର୍ଚ୍ଚ କରି ରାଉରକେଲାରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ କରି ଏହାକୁ ସରକାରୀ ହସ୍ପିଟାଲ କରିବା ପରିବର୍ତ୍ତେ ଘରୋଇ ସଂସ୍ଥା ହାତରେ ଟେକି ଦେଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି ।

ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ଘରୋଇ ହସ୍ପିଟାଲକୁ ନଦେଇ ଏମ୍ସ ହସ୍ପିଟାଲ କରିବା ପାଇଁ ଦାବି ହୋଇଛି । ରାଉରକେଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବା ଅଭିଯୋଗ ହୋଇଛି । ରାଉରକେଲା ଇସ୍ପାତ ଟ୍ରଷ୍ଟ ଏବଂ ଆପୋଲୋ ହସ୍ପିଟାଲ ଏଣ୍ଟରପ୍ରାଇଜ ଲିମିଟେଡ ମଧ୍ୟରେ ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲର ପରିଚାଳନା ଓ ପ୍ରବନ୍ଧନ ପାଇଁ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ହସ୍ପିଟାଲକୁ  ୨୦୨୩ ଫେବୃଆରୀ ୧ ତାରିଖ ଠାରୁ ହସ୍ତାନ୍ତର କରାଯିବା ସହ ଅପରେସନ୍ ଏବଂ ରକ୍ଷଣାବେକ୍ଷଣର ସମ୍ପୂର୍ଣ୍ଣ କାର୍ଯ୍ୟ ୨୦୨୩ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ ବୋଲି ଚୁକ୍ତିନାମାରେ ଉଲ୍ଲେଖ ରହିଛି ।