ପଡ଼ୋଶୀ ରାଜ୍ୟରେ ମହାନଦୀ ଲଢ଼େଇ: ସମାଧାନ ପାଇଁ ଛତିଶଗଡରେ ଗୋଲ ଟେବୁଲ ବୈଠକ

ପଡ଼ୋଶୀ ରାଜ୍ୟରେ ମହାନଦୀ ଲଢ଼େଇ । ସମାଧାନ ପାଇଁ ଛତିଶଗଡରେ ଗୋଲ ଟେବୁଲ ବୈଠକ । ମହାନଦୀ ବଞ୍ଚାଅ ଆନ୍ଦୋଳନ ସହ ବିଭିନ୍ନ ସଙ୍ଗଠନ ସାମିଲ । ବିଜେଡି କହିଲା, ହକ ନମିଳିବା ଯାଏ ଜୀବନ ରେଖା ପାଇଁ ଚାଲିବ ଲଢ଼େଇ । ମହାନଦୀ ପାଇଁ ଗୋଲ ଟେବୁଲ ବୈଠକ । ଏକାଠି ହେଲେ ବିଭିନ୍ନ ସାମାଜିକ ସଙ୍ଗଠନ, ସ୍ୱେଚ୍ଛାସେବୀ, ଜଳ ମାନବଙ୍କ ସହ ମହାନଦୀ ବଞ୍ଚାଅ ଆନ୍ଦୋଳନ। ସମସ୍ତଙ୍କ ଗୋଟିଏ ଲକ୍ଷ୍ୟ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦର ହେଉ ଆପୋଷ ସମାଧାନ। ମହାନଦୀ ବଞ୍ଚାଅ ଆନ୍ଦୋଳନର ଯୁକ୍ତି ହେଉଛି, ଦୁଇ ସରକାର ଭିତରେ ଜଳ ସମାଧାନ ସମ୍ଭବ ନୁହେଁ। ମହାନଦୀ ସହ ଜଡ଼ିତ ପ୍ରତ୍ୟେକ ଅଂଶୀଦାର ବା ଷ୍ଟେକ୍ ହୋଲାଡର ଚାହିଁଲେ ଜଳ ବିବାଦର ହୋଇପାରିବ ସମାଧାନ। ଯାହାକୁ ନେଇ ଗୋଲ ଟେବୁଲ୍ ବୈଠକରେ ହୋଇଛି ଆଲୋଚନା। ମହାନଦୀର ୧ ଲକ୍ଷ ୪୧ ହଜାର ବେସିନ ଏରିଆ ରହିଛି। ଏହା କିପରି ସୁରକ୍ଷିତ ରହିବ, ସେନେଇ ମଧ୍ୟ ସର୍ବସମ୍ମତି କ୍ରମେ ଆଲୋଚନା ହୋଇଛି । ଟ୍ରିବ୍ୟୁନାଲ ଏହାର ସମାଧାନ ନୁହେଁ। ଆପୋଷ ବୁଝାମଣାରେ ମହାନଦୀର ବିବାଦର ସମାଧାନ ସମ୍ଭବ ବୋଲି ଗୋଲ ଟେବୁଲ୍ ବୈଠକରେ ମତ ପ୍ରକାଶ ପାଇଛି।

ମହାନଦୀ ଜଳ ବିବାଦକୁ ନେଇ ୨୦୧୬ ମସିହାରୁ ଲଢ଼େଇ ଜାରି ରଖିଛି ବିଜେଡି। ଏବେ ଓଡ଼ିଶା, ଛତିଶଗଡ ଓ କେନ୍ଦ୍ରରେ ବିଜେପି ସରକାର। ଓଡ଼ିଶାର ଜୀବନ ରେଖାକୁ ନ୍ୟାୟ ଦେବା ପାଇଁ ଏବେ ସୁବର୍ଣ୍ଣ ସୁଯୋଗ ଆସିଛି। ତେଣୁ କାଳ ବିଳମ୍ବ ନକରି ଓଡ଼ିଶା ସରକାର ଏହାର ସମାଧାନ କରନ୍ତୁ ବୋଲି ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଓଡ଼ିଶାର ଲାଇଫ ଲାଇନକୁ ଜୀବିତ ରଖିବା ପାଇଁ ବାରମ୍ବାର ଦାବି ହେଉଛି। ସବୁ ସ୍ତରରେ ଲଢ଼େଇ ଜାରି ରହିଛି। ଓଡ଼ିଶା, ଛତିଶଗଡ଼, କେନ୍ଦ୍ରରେ ବିଜେପି ସରକାର ଥିବାରୁ ସମାଧାନ ବାଟ ବିଜେପି ସରକାର କରିବା ଆବଶ୍ୟକ ବୋଲି କହିଛି କଂଗ୍ରେସ। ରାଜ୍ୟ ସରକାର ମହାନଦୀ ଜଳ ବିବାଦର ଆପୋଷ ସମାଧାନ କଥା କହୁଥିବା ବେଳେ, କି ପ୍ରକାର ଆପୋଷ ସମାଧାନ କରୁଛନ୍ତି ତାହା ରାଜ୍ୟବାସୀଙ୍କ ଜଣାନ୍ତୁ ବୋଲି ଦଳ ଦାବି କରିଛି । ଯାହାର ଜବାବ ରଖିଛି ବିଜେପି।