କରୋନାରୁ ଆରୋଗ୍ୟ ହେଲେ ରୋହିତ, ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ନେବେ ନେତୃତ୍ୱ

1 min read

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର । ହିଟମ୍ୟାନ ରୋହିତ ଶର୍ମା କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଲଗାତାର ତାଙ୍କର ତିନୋଟି ରିପୋର୍ଟ ନେଗେଟିଭ ଆସିଛି । ୭ ଜୁଲାଇରୁ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତର ନେତୃତ୍ୱ ନେବେ ରୋହିତ । ସୂଚନାଥାଉକି ରୋହିତ ବର୍ମିଂହମ ଟେଷ୍ଟ ମ୍ୟାଚ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ । ଏହି କାରଣରୁ ସେ ମ୍ୟାଚରୁ ବାଦ ପଡିଥିଲେ । ତାଙ୍କ ସ୍ଥାନରେ ବୋଲର ଜଶପ୍ରୀତ ବୁମରାହ ଦଳ ନେତୃତ୍ୱ ନେଉଛନ୍ତି ।

ରୋହିତଙ୍କ ଅନୁପସ୍ଥିତିରେ ଭାରତୀୟ ଇନଂସର ପ୍ରାରମ୍ଭିକ ଦାୟିତ୍ୱ ଚେତେଶ୍ୱର ପୂଜାରା ତୁଲାଉଛନ୍ତି । ରୋହିତ ଶର୍ମା ଏବେ ସମ୍ପୂର୍ଣ୍ଣ ଫିଟ ହୋଇ କ୍ୱାରେଣ୍ଟାଇନରୁ ବାହାରକୁ ଆସିଛନ୍ତି । ଏବେ ତାଙ୍କୁ କରୋନା ପ୍ରୋଟୋକଲ ଆଧାରରେ ଲଙ୍ଗସର ପରୀକ୍ଷା କରାଇବାକୁ ପଡିବ । ଏହି ପରୀକ୍ଷା ପରେ ସେ ଟିମ ସହ ଯୋଡିହେବେ । କରୋନାରୁ ରୋହିତ ସୁସ୍ଥ ହେବା ଖବର ଶୁଣିବା ପରେ ଫ୍ୟାନ୍ସମାନେ ଖୁସିବ୍ୟକ୍ତ କରିଛନ୍ତି । ସେମାନେ ଯଥାଶୀଘ୍ର ରୋହିତଙ୍କୁ କ୍ରୀଜରେ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି  ।