ସିଡନୀ ଟେଷ୍ଟରୁ ବାଦ୍ ପଡ଼ିବେ ରୋହିତ ଶର୍ମା? ବୁମ୍ରା ସମ୍ଭାଳି ପାରନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ବ
1 min readନନ୍ଦିଘୋଷ ବ୍ୟୁରୋ: ଜାନୁଆରୀ ୩ରୁ ବର୍ଡର-ଗାଭାସ୍କର ଟ୍ରଫି (BGT)ର ଅନ୍ତିମ ତଥା ପଞ୍ଚମ ଟେଷ୍ଟ ମ୍ୟାଚ ଖେଳାଯିବ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭ୍ରମଣକାରୀ ଦଳ ଏବେ ୨-୧ରେ ପଛୁଆ ରହିଥିବାରୁ ସିରିଜ୍ ଡ୍ର କରିବାକୁ ଭାରତ ପ୍ରାଣପଣେ ଉଦ୍ୟମ କରିବ । ସିଡନୀ ଟେଷ୍ଟରେ ଆକାଶ ଦୀପ ଖେଳିବେ ନାହିଁ ବୋଲି ଟିମ୍ ଇଣ୍ଡିଆର କୋଚ ଗୌତମ ଗମ୍ଭୀର ସ୍ପଷ୍ଟ କରିଥିଲେ । ଏହା ମଧ୍ୟରେ ପୁଣି ଜଣେ ଖେଳାଳି ପ୍ଲେଇଂ-୧୧ରୁ ବାଦ୍ ପଡ଼ି ପାରନ୍ତି । ଅନ୍ତିମ ଟେଷ୍ଟରୁ ରୋହିତ ଶର୍ମା ବାଦ୍ ପଡ଼ିପାରନ୍ତି ବୋଲି ଏକ ରିପୋର୍ଟରେ କୁହାଯାଇଛି । ଏଭଳି ସ୍ଥିତିରେ ରୋହିତଙ୍କ ସ୍ଥାନରେ ଯଶପ୍ରୀତ ବୁମ୍ରା ଅଧିନାୟକ ଭାର ସମ୍ଭାଳି ପାରନ୍ତି ।
BGT ଟ୍ରଫିର ଅନ୍ତିମ ଟେଷ୍ଟ ସିଡନୀରେ ଖେଳାଯିବ । ଭାରତୀୟ ସମୟାନୁସାରେ ଏହା ସକାଳ ୫ଟାରୁ ଆରମ୍ଭ ହେବ । ତେବେ ଏହି ମୁକାବିଲାରେ ଭାରତୀୟ ଟେଷ୍ଟ ଅଧିନାୟକଙ୍କୁ ବାହାରେ ବସିବାକୁ ପଡ଼ିପାରେ । ତାଙ୍କ ସ୍ଥାନରେ ଯଶପ୍ରୀତ ବୁମ୍ରା କ୍ୟାପ୍ଟେନସିପ କରିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଶୁବମନ ଗିଲ ପ୍ଲେଇ-୧୧କୁ ଫେରିବା ପାଇଁ ପ୍ରସ୍ତୁତ ଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଏଭଳି ସ୍ଥିତିରେ କେଏଲ ରାହୁଲ ଓ ଯଶସ୍ବୀ ଜୟସ୍ବାଲ ମ୍ୟାଚରେ ଓପନିଂ କରିପାରନ୍ତି । କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କୁ ରୋହିତ ନିଜ ନିଷ୍ପତ୍ତି ବାବଦରେ ଅବଗତ କରିସାରିଥିବା କୁହାଯାଉଛି । ଏହାକୁ ନେଇ କୋଚ ଓ ଚୟନ କମିଟି ଅଧ୍ୟକ୍ଷ ସହମତି ପ୍ରଦାନ କରିଥିବା କୁହାଯାଉଛି ।