ଲଗାତାର ଶୂନରେ ଆଉଟ ହେବାପରେ ଏହି ଅଲୋଡ଼ା ରେକର୍ଡ କରିପାରନ୍ତି ରୋହିତ

1 min read

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷ ଦୁଇଟି ଯାକ ଟି-୨୦ରେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇ ପାଭିଲିୟନ ଫେରିଛନ୍ତି । ଲଗାତାର ଦୁଇଟି ଶୂନରେ ଆଉଟ ହେବା ପରେ ଆନ୍ତର୍ଜାତୀୟ ଟି-୨୦ରେ ଶୂନରେ ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ରୋହିତ ୧୫୦ ଟି-୨୦ ଖେଳି ବିଶ୍ବର ପ୍ରଥମ ଖେଳାଳିଭାବେ ଏହି ମାଇଲ ଖଉଣ୍ଟ ପାର କରିଥିବାବେଳେ ଶୂନ ମାମଲାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ରୋହିତ ୧୨ ଥର ଶୂନରେ ଆଉଟ ହୋଇଛନ୍ତି । ସେପଟେ ଆୟାରଲାଣ୍ଡର ପଲ ଷ୍ଟାରଲିନ୍ ୧୩ଥର ଶୂନରେ ଆଉଟ ହୋଇଛନ୍ତି । ଶେଷ ମ୍ୟାଚରେ ଯଦି ରୋହିତ ଜିରୋରେ ଆଉଟ ହୁଅନ୍ତି ତାହେଲେ ଏକ ଅଲୋଡ଼ା ରେକର୍ଡ ତାଙ୍କ ନାମରେ ଲେଖାହେବ ।

ଆଗକୁ ଟି-୨୦ ବିଶ୍ବକପ ଆସୁଥିବାବେଳେ ରୋହିତ ଅଧିନାୟକ କରିବେ ବୋଲି ଏକପ୍ରକାର ଗ୍ରୀନ ସିଗନାଲ ମିଳିଛି । ଚୟନକର୍ତ୍ତା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ତାଙ୍କ ଅଧିନାୟକ ପଦ ଦେଇଥିବାବେଳେ ସେ ଟି-୨୦ ବିଶ୍ବକପ ଖେଳିବେ ବୋଲି କୁହାଯାଉଛି । ଦୀର୍ଘଦିନ ପରେ ଟି-୨୦ ଦଳକୁ ଫେରିଥିବା ହିଟମ୍ୟାନ ବଡ଼ ପାଳି ଖେଳିବେ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଥିଲେ । ଟି-୨୦ ବିଶ୍ବକପ ପୂର୍ବରୁ ଏହା ହେଉଛି ଶେଷ ଟି-୨୦ ସିରିଜ୍ । ଏଣୁ ଏହି ସିରିଜ ଅନେକ ଗୁରୁତ୍ବ ବହନ କରୁଛି । ସେପଟେ ଯୁବ ଖେଳାଳିମାନେ ଦମଦାର ଫର୍ମରେ ରହିଥିବାବେଳେ ରୋହିତଙ୍କ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ଦର୍ଶକଙ୍କୁ ବେଶ ଦୁଃଖ ଦେଇଛି ।