ଶେଷ ଟି-୨୦ରେ ଧରାଶାୟୀ ନ୍ୟୁଜିଲାଣ୍ଡ, କୋହଲିଙ୍କୁ ପଛରେ ପକାଇ ଇତିହାସ ସୃଷ୍ଟି କଲେ ରୋହିତ ଶର୍ମା

1 min read

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍‌କୁ  କ୍ଲିନ୍‌ ସୁଇପ କରିଛି ଭାରତ । ତିନୋଟି ଯାକ ମ୍ୟାଚ୍‌ରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରି ୩-୦ରେ ବିଜୟ ହାସଲ କରିଛି । ନୂଆ କୋଚ୍ ରାହୁଲ ଦ୍ରାବିଡ ଏବଂ ନୂଆ ଟି-୨୦ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛି । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ ବଳରେ  ଭାରତ ତୃତୀୟ ଟି-୨୦ ଅନ୍ତର୍ଜାତୀୟରେ ନ୍ୟୁଜିଲାଣ୍ଡକୁ ୭୩ ରନରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୩-୦ରେ କ୍ଲିନ୍ ସୁଇପ୍ କରିଛି। ନିୟମିତ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ଏହା ପ୍ରଥମ ସିରିଜ୍ ବିଜୟ । କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କ ମଧ୍ୟ ଏହା ଏକ ଭଲ ଆରମ୍ଭ । 

ତେବେ ଭାରତୀୟ ଟି-୨୦ ଦଳର ଅଧିନାୟକ ରୋହିତ ଶର୍ମା କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି। ସେ ଟି-୨୦ ଅନ୍ତର୍ଜାତୀୟରେ ସବୁଠୁ ଅଧିକ ଥର ୫୦ରୁ ଅଧିକ ରନ କରିଛନ୍ତି। ସେ ୧୧୯ତମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଛନ୍ତି। ରୋହିତ ଶର୍ମା ୨୮ ବଲ୍‌ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ଛକା ଟି-୨୦ ଅନ୍ତର୍ଜାତୀୟରେ ୨୬ତମ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ।

ଏହା ପୂର୍ବରୁ ଏହି ରେକର୍ଡ ଯୁଗ୍ମ ଭାବେ ବିରାଟ କୋହଲି ଏବଂ ତାଙ୍କ ନାମରେ ହିଁ ଥିଲା । ହେଲେ ଏହି ମ୍ୟାଚ୍‌ରେ ଅର୍ଦ୍ଧଶତକୀୟ ଇନିଂସ ଖେଳି ରୋହିତ ବିରାଟ କେହାଲିଙ୍କୁ ପଛରେ ପକାଇଛନ୍ତି। ଏହି ତାଲିକାରେ ତୃତୀୟରେ ଅଛନ୍ତି ପାକିସ୍ତାନର ଅଧିନାୟକ ବାବର ଆଜମ। ସେ ୨୫ ଟି-୨୦ ଅନ୍ତର୍ଜାତୀୟ ଅର୍ଦ୍ଧଶତକ  ହାସଲ କରିଛନ୍ତି। ଡେଭିଡ୍ ଓ୍ଵାର୍ଣ୍ଣର ୨୨ ଥର ୫୦ରୁ ଅଧିକ ରନ କରିଛନ୍ତି। ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ରୋହିତ ଶର୍ମା ୩୧ ବଲ୍‌ରୁ ୫ ଚୌକା ଓ ୩ ଛକା ସହ ୫୬ ରନର ଇନିଂସ ଖେଳିଥିଲେ।

କେବଳ ଏହି ଗୋଟିଏ ରେକର୍ଡ ନୁହେଁ ରୋହିତ ଶର୍ମା ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି । ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ରୋହିତ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ଏହି ତାଲିକାରେ ପ୍ରଥମରେ ରହିଛନ୍ତି ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗପ୍ଟିଲ୍।

ରୋହିତ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ୧୧୯ଟି ମ୍ୟାଚ୍ ଖେଳି ୧୫୦ଟି ଛକା ମାରିଛନ୍ତି।  ଇଡେନ୍‌ଗାର୍ଡେନ୍‌ରେ ଚାଲିଥିବା ମ୍ୟାଚ୍‌ରେ ରୋହିତ ଲକି ଫର୍ଗ୍ୟୁସନଙ୍କ ବଲ୍‌ରେ ସ୍କୋୟାର ଲେଗ୍‌କୁ ଛକା ମାରି ଏହି ରେକର୍ଡ କରିଛନ୍ତି। ତେବେ ତାଲିକାରେ ଶୀର୍ଷରେ ଥିବା ଗପ୍ଟିଲ୍‌ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ରୋହିତଙ୍କ ଠାରୁ ଅଧିକ ୧୧ଟି ଛକ୍କା ମାରିଛନ୍ତି । ସେ ୧୧୨ ମ୍ୟାଚ୍ ଖେଳି ୧୬୧ଟି ଛକା ମାରିଛନ୍ତି ।

Leave a Reply