ସାହିଦ୍ ଆଫ୍ରିଦଙ୍କ ରେକର୍ଡ ଭାଙ୍ଗିଲେ ହିଟମ୍ୟାନ୍

ଧର୍ମଶାଳା: ହିଟମ୍ୟାନଙ୍କ ନୂଆ କିର୍ତ୍ତୀମାନ । ବିଶ୍ବକପ ମ୍ୟାଚ ଚାଲିଥିବାବେଳେ ନୂଆ ରେକର୍ଡ କରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା । ଛକା ମାରିବାରେ ରେକର୍ଡ କରିଛନ୍ତି ରୋହିତ ଶର୍ମା । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡର ତୃତୀୟ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା । ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୪୮ଟି ଛକା ମାରି ତୃତୀୟ ସ୍ଥାନରେ ରହିଥିଲେ । ୨୦୦୨ ମସିହାରେ ସେ ଏହି ରେକର୍ଡ କରିଥିଲେ । ସେପଟେ ରୋହିତ ଚଳିତ ବର୍ଷ ୫୧ଟି ଛକା ମାରିଛନ୍ତି । ତେବେ ଗୋଟିଏ ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏ.ବି ଡିଭିଲିୟର୍ସଙ୍କ ନାମରେ ରହିଛି । ସେ ୨୦୧୫ ମସିହାରେ ୫୮ଟି ଛକା ମାରିଥିଲେ । ସେ ପ୍ରଥମ ସ୍ଥାନରେ ରହିଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଘାତକ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲ୍ । ସେ ୨୦୧୯ କ୍ୟାଲେଣ୍ଡର ବର୍ଷରେ ୫୬ଟି ଛକା ମାରିଥିଲେ । ତୃତୀୟ ସ୍ଥାନରେ ସାହିଦ ଆଫ୍ରିଦ ରହିଥିଲେ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଏହି ରେକର୍ଡକୁ ଭାଙ୍ଗିଛନ୍ତି ରୋହିତ ଶର୍ମା । ଏବେ ବିଶ୍ବକପ ଚାଲିଥିବାବେଳେ ଚଳିତ କ୍ୟାଲେଣ୍ଡର ବର୍ଷରେ ରୋହିତ ସର୍ବାଧିକ ଛକା ମାରିବାର ରେକର୍ଡ ଅର୍ଜନ କରିପାରନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତ ଏକ ବଡ଼ ବିଜୟ ହାସଲ କରିଛି । ୪ ଓ୍ବିକେଟରେ ଜିତି ନେଇଛି ରୋହିତ ବାହିନୀ । ଏହି ମ୍ୟାଚରେ ରୋହିତ ଶର୍ମା ୪୬ ରନର ପାଳି ଖେଳିଥିଲେ । ୪୦ ବଲରୁ ସେ ଏହି ସ୍କୋର କରିଥିବା ବେଳେ ୪ ଚୌକା ଏବଂ ୪ ଛକା ରହିଛି । ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତର ମହମ୍ମଦ ସାମ୍ମି ୫ଟି ଓ୍ବିକେଟ ନେଇଥିବାବେଳେ କୁଳଦୀପ ଯାଦବ ୨ଟି ଏବଂ ସିରାଜ ଓ ଯଶପ୍ରୀତ ବୁମରା ଗୋଟିଏ ଲେଖାଏଁ  ଓ୍ବିକେଟ ନେଇଥିଲେ । ୨୭୪ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ । କ୍ୟାପଟେନ ରୋହିତ  ଶର୍ମା ଓ ଶୁବମନ ଗିଲ୍ ଭଲ ଆରମ୍ଭ କରିଥିଲେ  । ଦଳୀୟ ସ୍କୋର ୭୧ ରନ ଥିବାବେଳେ ରୋହିତ ଶର୍ମା ୪୬ ରନ କରି ପାଭିଲିଅନ ଫେରିଥିଲେ । ପରେ ଗିଲ ମଧ୍ୟ ୨୬ ରନ କରି ଆଉଟ ହୋଇଥିଲେ । ଶ୍ରେୟସ ଆୟାର ୩୩  ଓ କେଏଲ ରାହୁଲ ୨୭ ରନ କରି ପାଭିଲିଅନ ଫେରିଥିଲେ । ରୋଚକ ଭାବରେ ସୂର୍ଯ୍ୟକୁମାର ଯାଦବ ମାତ୍ର ୨ରନ କରି ରନ ଆଉଟ୍ ହୋଇଥିଲେ । ପରେ ବିରାଟ କୋହଲି ଓ ଜାଡେଜା ମଇଦାନ ସମ୍ଭାଳିବା ସହ ଦଳକୁ ବିଜୟ ଅଭିମୁଖେ ଆଗେଇ ନେଇଥିଲେ । କୋହଲି ଆଉଟ ହେବା ପରେ ଜାଡେଜା ଏକ ଚୌକା ମାରି ଦଳକୁ ବିଜୟ କରିଛନ୍ତି ।