ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବ୍ରହ୍ମପୁରର ରକ୍ ଗାର୍ଡେନ୍

ବ୍ରହ୍ମପୁର: ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବ୍ରହ୍ମପୁରର ରକ୍ ଗାର୍ଡେନ୍ । ଗୋପାଳପୁର ନିର୍ବାଚନ ମଣ୍ଡଳୀ ସୀମାନ୍ତ ଆମ୍ବପୁଆ ଠାରେ ଏହି ସୁନ୍ଦର ଗାର୍ଡେନକୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଗାର୍ଡେନ ବୁଲି ଦେଖିଛନ୍ତି ନେତା, ଅଫିସର, ଗଣମାଧ୍ୟମ ପ୍ରତିନିଧି । ଜିଲ୍ଲାକୁ ଏପରି ଏକ ସୁନ୍ଦର ଉପହାର ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଛନ୍ତି ।
ଝଲସୁଛି ରକ୍ ଗାର୍ଡେନ୍। ସ୍ପ୍ରିଙ୍କଲ ଓ୍ବାଟର ସାଙ୍ଗକୁ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଟକୁଛି ପରିବେଶ। ମନୋରମ ପରିବେଶରେ ଗ୍ୟାଲେରିରେ ବସି ଉପଭୋଗ କରିବେ ପର୍ଯ୍ୟଟକ। ବ୍ରହ୍ମପୁରକୁ ଏମିତି ଏକ ସୁନ୍ଦର ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୋପାଳପୁର ନିର୍ବାଚନ ମଣ୍ଡଳୀ ସୀମାନ୍ତ ଆମ୍ବପୁଆ ଠାରେ ନିର୍ମାଣ ହୋଇଛି ଏହି ରକ୍ ଗାର୍ଡେନ୍। ପର୍ଯ୍ୟଟନ କ୍ଷେତ୍ରରେ ହେଉ କି ସହରର ବିକାଶ କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି କହିଛନ୍ତି ସାଂସଦ ଚନ୍ଦ୍ର ଶେଖର ସାହୁ ।
ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆଓ, ଦକ୍ଷିଣାଞ୍ଚଳ ଆଇ. ଜି, ବ୍ରହ୍ମପୁର ସତ୍ୟବ୍ରତ ଭୋଇ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ବିବେକ ରେଡି, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ରାତିରେ ପାର୍କ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଭାରତର ଚଣ୍ଡିଗଡରେ ଏପରି ଗାର୍ଡେର ରହିଥିବାବେଳେ ଓଡ଼ିଶାରେ ଏହା ପ୍ରଥମ । ୧୦ ଏକର ଜମିରେ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ରକ ଗାର୍ଡେନ । ଏହାକୁ ତିଆରି କରିବାକୁ ୪ ବର୍ଷ ଲାଗିଥିବା କହିଛନ୍ତି ପାର୍କ ଡିଜାଇନର । ବରିଷ୍ଠ ନାଗରିକ ହୁଅନ୍ତୁ କି ସାଧାରଣ ନାଗରିକ କି ପର୍ଯ୍ୟଟକ, ସମସ୍ତେ ଏହାର ମଜା ନେଇପାରିବେ । ପାର୍କ ଭିୟୁ ସହ ମିରର ପାଥ, ଵିଜ୍ଞାନ, ସଂସ୍କୃତି, ପରମ୍ପରା ସମ୍ପର୍କିତ ବିଷୟ ବସ୍ତୁ ଏଠାରେ ପ୍ରଦର୍ଶିତ ହୋଇଛି । ରବିବାର ସନ୍ଧ୍ୟାରୁ ସର୍ବ ସାଧାରଣଙ୍କ ପାଇଁ ଖୋଲା ଯାଇଛି ପାର୍କ ।