ନିଜ କ୍ଷତକୁ ନିଜେ ଭରେ ମଣିଷ ଚର୍ମରେ ତିଆରି ରୋବଟିକ୍ ଆଙ୍ଗୁଠି

ଟୋକିଓ : ବିଜ୍ଞାନ ଯୁଗରେ କିଛି ବି ଅସମ୍ଭବ ନୁହେଁ ।  ବୈଜ୍ଞାନିକ ମାନେ ମିଶି ଏମିତି ଏକ ଜିନିଷ ତିଆରି କରିଛନ୍ତି ଯାହା ଅସମ୍ଭବ ଲାଗିଲେ ମଧ୍ୟ ସମ୍ଭବପର ହୋଇଛି  ।  ଯେ କେହି ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ ଟୋକିଓର ବୈଜ୍ଞାନିକ ମାନେ ଉଦ୍ଭାବନ କରିଛନ୍ତି ଏମିତି ଏକ ମଣିଷ ଚର୍ମରେ ତିଆରି ଜୀବିତ ଆଙ୍ଗୁଠି  ।  ଯାହାକି ନିଜ କ୍ଷତକୁ ନିଜେ ହିଁ ଭରିବାରେ ସକ୍ଷମ ହୋଇପାରୁଛି ।

ନିକଟ ଅତୀତରେ ଟୋକିଓ ୟୁନିର୍ଭସିଟିର ଦକ୍ଷ ବାୟୋହାଇବ୍ରିଡର ବୈଜ୍ଞାନିକ ଶୋଜୀ ଟେକୁଚୀ ଓ ତାଙ୍କ ସହଯୋଗୀ ମାନେ ମିଶି ତିଆରି କରିଛନ୍ତି ଜୀବିତ ଆଙ୍ଗୁଠି  ।  ଏଥିରେ ରହିଛି ଏକ ଖାସ୍ ଗୁଣ ଯାହା ହେଉଛି ତା‘ର ଚର୍ମରେ କିଛି କ୍ଷତ ହେଲେ, ତାହା ଆପେ ଆପେ ଭରିଯାଏ । ବୈଜ୍ଞାନିକ ଟେକୁଚୀ ଲକ୍ଷ୍ୟ ରଖିଥିଲେ କି, ସେ ଏପରି ଏକ ମଣିଷ ଚର୍ମ ଓ ମାନବ କୋଷକୁ ନେଇ ରୋବୋଟିକ୍ ଆଙ୍ଗୁଠି ତିଆରି କରିବେ । ଆଉ ସେ ତାଙ୍କ ଲକ୍ଷ୍ୟକୁ ସଫଳ ମଧ୍ୟ କରି ଦେଖାଇଛନ୍ତି ।

ବୈଜ୍ଞାନିକ ଟେକୁଚୀ କୁହନ୍ତି କି, ସିଲିକନ୍ ରବରରେ ତିଆରି ଏହି ଆଙ୍ଗୁଠିକୁ ଦୂରରୁ ଦେଖିଲେ ଏହା ଅସଲି ପରି ଲାଗେ, କିନ୍ତୁ ପାଖରୁ ଦେଖିଲେ ଏହା ନକଲି ଲାଗେ । ଏହି ରୋବୋଟିକ୍ ଆଙ୍ଗୁଠିକୁ ଅସଲି ମଣିଷ ଆଙ୍ଗୁଠି ପରି ବନେଇବା ପାଇଁ ଆମେ ଜୀବିତ ସେଲ୍ ବ୍ୟବହାର କରିଛୁ ।