ବନ୍ଧୁକ ଦେଖାଇ ୫୦ ଲକ୍ଷ ଟଙ୍କାର ସୁନା ଓ ୩୦ ଲକ୍ଷରୁ ଅଧିକ ଟଙ୍କା ଡକାୟତି

ସାଲେପୁର: କଟକ ଜିଲ୍ଲା ସାଲେପୁରରେ ଡକାୟତି । ଘରେ ଥିବା ସୁନା ଓ ଟଙ୍କା ଲୁଟ୍ । ପ୍ରାୟ ଏକ କୋଟି ଟଙ୍କାର ସୁନା ଓ ଟଙ୍କା ଲୁଟ ହୋଇଥିବା ଅଭିଯୋଗ । ସାଲେପୁର ଜାହାଙ୍ଗୀବାଦ ଗାଁରେ ଘଟିଛି ଡୟକାତି । ଲୁଟର ଶିକାର ହୋଇଛନ୍ତି ଗାଁର ବିଜୟ ମହାନ୍ତି ।
ମିଳିଥିବା ସୂଚନା ଅନୁସାରେ, ବିଜୟ ଜମି ବିକ୍ରି କରିଥିଲେ । ଏହି ଟଙ୍କାରେ ସେ ୫୦ ଲକ୍ଷ ଟଙ୍କାର ସୁନା କିଣିଥିଲେ । ତେବେ ଗତରାତିରେ ତାଙ୍କ ଘରେ ଡକାୟତି ହୋଇଛି । ଦୁର୍ବୃତ୍ତମାନେ ଘରେ ପଶି ସୁନା ସହ ୩୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ।
ଗତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ୪ ଜଣ ଦୁର୍ବୃତ୍ତ ଘରେ ପଶିଥିଲେ । ଦୁର୍ବୃତ୍ତମାନେ ଛାତର କବାଟ ଭାଙ୍ଗି ଘରେ ପଶିବା ସହ ଲୁଟ୍ କରିଥିବା ବିଜୟ କହିଛନ୍ତି । ତେବେ ଏତେ ଟଙ୍କା ଓ ସୁନା ଜଣେ କିପରି ଘରେ ରଖିଥିଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ବିଭିନ୍ନ ଦିଗକୁ ନେଇ ଯାଞ୍ଚ ଚାଲିଥିବା ପୋଲିସ କହିଛି ।