ରାଜରାସ୍ତାରେ ଲୁଟ୍‌ ଉଦ୍ୟମ, କାର ଡ୍ୟାସବୋର୍ଡ କ୍ୟାମେରାରେ ରେକର୍ଡ ହେଲା ପୁରା ଦୃଶ୍ୟ

ଯାଜପୁର: ରାଜରାସ୍ତାରେ ଲୁଟ ଉଦ୍ୟମର । ଭାଇରାଲ ହେଉଛି ଭିଡିଓ । ଏଥିରେ କିଛି ଦୁର୍ବୃତ୍ତ ଏକ କାରକୁ ଅଟକାଇ ଲୁଟ୍‌ କରିବାକୁ ଉଦ୍ୟମ କରୁଛନ୍ତି । ଯାହା କାରରେ ଲାଗିଥିବା ଡ୍ୟାସବୋର୍ଡ କ୍ୟାମେରାରେ ରେକର୍ଡ ହୋଇଛି । ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରୁ ଏହି ଦୃଶ୍ୟ ଭାଇରାଲ ହେଉଛି । ଡୁବୁରୀ ଟମକା ରାସ୍ତାର ଡୁବୁରୀ କଲେଜ ନିକଟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଏକ ଶିଳ୍ପ ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ ବିଳମ୍ବିତ ରାତିରେ କଲେଜ ରାସ୍ତା ଦେଇ ଯାଉଥିବା ବେଳେ ୫/୬ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । ହାତରେ ମାରଣା ଅସ୍ତ୍ରଶସ୍ତ୍ର ଧରିଥିଲେ । ଏହା ଦେଖି କାର ଚଳାଉଥିବା ବ୍ୟକ୍ତି ଜଣକ ନିଜ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ । ହେଲେ ନିଜ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାରକୁ ଦ୍ରୁତ ଗତିରେ ସେ ପଛକୁ ନେଇଆସିଥିଲେ । ଯାହାର ଦୃଶ୍ୟ କାରରେ ଲାଗିଥିବା ଡ୍ୟାସବୋର୍ଡ କ୍ୟାମେରାରେ ରେକର୍ଡ ହୋଇଥିଲା । ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏବେସୁଦ୍ଧା ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।

ସେହିଭଳି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଈଶ୍ୱରପୁର ନିକଟରେ ସୁନା ଦୋକାନୀଙ୍କୁ ଦୁଇଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅଢେଇ ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି । ଏନେଇ ଫାଣ୍ଡିରେ ଅଭିଯୋଗ ମଧ୍ୟ ହୋଇଛି । ମର୍ଦ୍ଦରାଜପୁର ଛକରେ ସୁନା ବ୍ୟବସାୟୀ ଅଶୋକ କୁମାର ରଣା ବ୍ୟବସାୟୀକୁ ଆସୁଥିବାବେଳେ, ରାସ୍ତାରେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ । ଏଥିସହିତ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଓ ସୁନା ଅଳଙ୍କାର ଦେବାକୁ ଧମକ ଦେଇଥିଲେ । ଟଙ୍କା ନଦେବାରୁ ଅଶୋକଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରି ତାଙ୍କ ନିକଟରେ ଥିବା ୨ଲକ୍ଷ ୫୦ହଜାର ଟଙ୍କା ଲୁଟ୍‌ କରିନେଇଥିଲେ । ତେବେ ଦୁର୍ବୃତ୍ତମାନଙ୍କୁ ବ୍ୟବସାୟୀ ଜଣକ ଚିହ୍ନିଥିବା କହିଛନ୍ତି । ସେମାନେ ପିଞ୍ଛାବଣିଆ ଓ ଅଣ୍ଡରା ଗାଁର ବୋଲି ପୋଲିସ ସୂଚନା ଜାଣିବାକୁ ପାଇଛି ।

Leave a Reply