ଆମେ ACBରୁ ଆସିଛୁ, ଏମିତି କହି ଲୁଟିନେଲେ ୨୩ ଲକ୍ଷ

Robbers pose as ACB sleuths, loot Rs 22 Lakh from financier’s house in Rajsthan

ଜୟପୁର: ରାଜସ୍ଥାନରେ ଆଣ୍ଟି କରପସନ୍ ବ୍ୟୁରୋର ମାରାଥନ ରେଡ୍ ଚାଲିଛି । ଚଢ଼ଉରେ ବଡ ବଡ ମାଛ ଧରା ପଡୁଛନ୍ତି । ନିକଟରେ ଜଣେ ଭ୍ରଷ୍ଟ ବାବୁ ଧରାପଡ଼ିବା ଭୟରେ ଗ୍ୟାସ ଚୁଲାରେ ୧୫ ଲକ୍ଷ ଟଙ୍କା ପୋଡ଼ି ଦେଇଥିଲେ । ଏହାରି ଭିତରେ ଚୋର ମଧ୍ୟ ଏସିବିର ସକ୍ରିୟତାର ଫାଇଦା ଉଠାଇବାରେ ଲାଗିଛନ୍ତି । ବଲିଉଡ୍ ଫିଲ୍ମ ସ୍ପେଶାଲ ୨୬ରେ ଯେମିତି କିଛି ଠକ ନିଜକୁ ଭିଜିଲାନ୍ସ ଅଧିକାରୀ କହି ଲୁଟ୍ କରୁଥିଲେ ସେହିଭଳି ତିନି ଜଣ ଲୁଟେରା ଜୟପୁରରେ ନିଜକୁ ଏସିବି ଅଧିକାରୀ କହି ଫାଇନାନ୍ସ କମ୍ପାନୀର ଜଣେ ଅଧିକାରୀଙ୍କ ଘରୁ ୨୩ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ।

ଏମିତି ହୋଇଥିଲା ଲୁଟ୍

ମିଳିଥିବା ସୂଚନା ଅନୁସାରେ ତିନି ଜଣ ଲୁଟେରା ଫାଇନାନ୍ସ କମ୍ପାନୀର ଅଧିକାରୀଙ୍କ ଘରେ ପହଂଚିଥିଲେ । ସେତେବେଳେ ଘରେ କେବଳ ଅଧିକାରୀଙ୍କ ପୁଅ ବିଦିତ୍ ଥିଲେ । ସେଠାରେ ପହଂଚିବା ପରେ ତିନି ଲୁଟେରା ନିଜକୁ ଏସିବି ଅଧିକାରୀ ବୋଲି ପରିଚୟ ଦେଇଥିଲେ । ପରିଚୟ ଦେଇ ନିଜ ଆଇଡି ମଧ୍ୟ ଦେଖାଇଥିଲେ । ଏହାପରେ ସେମାନେ ଅଧିକାରୀଙ୍କ ପୁଅ ବିଦିତଙ୍କୁ ଅନେକ ପ୍ରଶ୍ନ ଗୁଡେଇ ତୁଡାଇ ପଚାରିଥିଲେ । ଯାଂଚ ନାଁରେ ଆଲମାରି ଖୋଲିବାକୁ କହିଥିଲେ । ଆଲମାରିରେ ଥିବା ୨୨ ଲକ୍ଷ ୯୮ ହଜାର ଟଙ୍କାର ହିସାବ ମାଗିଥିଲେ । ଏତେ ଟଙ୍କା ଘରେ କାହିଁକି ରଖିଛ ? କେଉଁଠୁ ଆଣିଛ ବୋଲି ପଚାରିଥିଲେ । ବିଦିତ ଏନେଇ ନିଜ ପିତାଙ୍କୁ ଫୋନ୍ କରିଥିଲେ କିନ୍ତୁ ଲୁଟେରା ଫୋନ୍ ଛଡାଇ ନେଇ ଯାହା କଥା ହେବା କଥା ଏସିବି ଅଫିସରେ ହେବ ସେଠାକୁ ଆସ କହି ଫୋନ୍ କାଟି ଦେଇଥିଲେ ।

ଜବତ ରାଶି ପାଇଁ କାଗଜରେ ଦସ୍ତଖତ ମଧ୍ୟ ନେଇଥିଲେ

ଟଙ୍କା ଲୁଟ୍ କରିବା ପରେ ଲୁଟକୁ ଅସଲି ରେଡ୍ ଦେଖାଇବା ପାଇଁ ଲୁଟେରା ଏସିବି ଲେଟରପ୍ୟାଡରେ ବିଦିତଙ୍କଠାରୁ ଦସ୍ତଖତ ମଧ୍ୟ ନେଇଥିଲେ । ଲେଟରପ୍ୟାଡରେ କେତେଟଙ୍କା ତାଙ୍କ ଘରୁ ଲୁଟ୍ ହୋଇଥିଲା ସେ ବାବଦରେ ଲେଖା ଯାଇଥିଲା । ଲୁଟ୍ କରି ସାରି ଏହି ତିନି ନକଲି ଅଧିକାରୀ ସେଠାରୁ ଚାଲି ଯାଇଥିଲେ ।

ବାଇକରେ ଆସିଥିଲେ ଲୁଟେରା

ମାମଲା ପୋଲିସ ପାଖରେ ପହଂଚିବା ପରେ ଜଣା ପଡିଥିଲା ଯେ, ତିନି ଲୁଟେରା ବାଇକରେ ଆସିଥିଲେ । ସେମାନେ ହେଲମେଟ୍ ପିନ୍ଧିଥିଲେ । ସିସିଟିଭି ଫୁଟେଜରୁ ଜଣା ପଡୁଛି ଯେ, ଲୁଟେରା ଘରେ ପହଂଚିବା ପରେ ହେଲମେଟ୍ କାଢିଥିଲେ ଓ ଘରୁ ବାହାରିବ ବେଳେ ହେଲମେଟ୍ ପିନ୍ଧି ଯାଇଥିଲେ ।

ଘର କିଣିବା ପାଇଁ ଟଙ୍କା ରଖିଥିଲେ

ଲୁଟ୍ ୨୩ ଲକ୍ଷ ଟଙ୍କା ଘର କିଣିବା ପାଇଁ ଅଧିକାରୀ ଜଣକ ସଂଚୟ କରିଥିବା ଜଣା ପଡିଛି । ପୋଲିସ ମାମଲାର ତଦନ୍ତ କରୁଛି । ଖୁବଶୀଘ୍ର ଅପରାଧୀ ଧରା ପଡିବ ବୋଲି ପୋଲିସ କହିଛି ।

Leave a Reply