ରାସ୍ତା ନିର୍ମାଣରେ ମହାଘୋଟାଲା, କାମ ନକରି ୧୦ ଲକ୍ଷ ଟଙ୍କା ଚଳୁ

1 min read

ନନ୍ଦିଘୋଷ ବ୍ୟୁରୋ: ରାସ୍ତା ନିର୍ମାଣରେ ମହାଘୋଟାଲା । କାମ ନକରି ୧୦ ଲକ୍ଷ ଟଙ୍କା ଚଳୁ । ରାସ୍ତା ନିର୍ମାଣ ପାଇଁ ଫଳକ ନ ଲଗାଇ ଆଉ ରାସ୍ତାରେ ଗୋଡିଟିଏ ନ ପକାଇ କନିଷ୍ଠ ଯନ୍ତ୍ରୀ ସମସ୍ତ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ  । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ ଜନ ପ୍ରତିନିଧି ।

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ପଞ୍ଚାୟତର ବାରମଞ୍ଚା ଗାଁରେ  SFC ଯୋଜନାରେ ଏକ ରାସ୍ତା ନିର୍ମାଣ ପାଇଁ ଅର୍ଥ ଆସିଥିଲା । ବିଜୁ ମାଝୀ ଘରଠାରୁ ଆଉଁଳି ନଦୀ ପର୍ଯ୍ୟନ୍ତ ରାସ୍ତା ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା । ଯେଉଁଥିରେ ପ୍ରାୟ ୫୦୦ ମିଟର ପକ୍କା ସଡକ ନିର୍ମାଣ ହେବା କଥା । ହେଲେ ରାସ୍ତା ନିର୍ମାଣ ପାଇଁ ଫଳକ ନ ଲଗାଇ ଆଉ ରାସ୍ତାରେ ଗୋଡିଟିଏ ନ ପକାଇ କନିଷ୍ଠ ଯନ୍ତ୍ରୀ ବିଲ କରି ସମସ୍ତ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗ ହୋଇଛି । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ ପଂଚାୟତର ସମିତିସଭ୍ୟ ଓ ଗ୍ରାମବାସୀ । ଲୋକଙ୍କ ହିତ ଲାଗି ଆସିଥିବା ଟଙ୍କା ଯନ୍ତ୍ରୀ ସମ୍ପୂର୍ଣ୍ଣ ଆତ୍ମସାତ କରି ନେଇଥିବା  ସମିତିସଭ୍ୟ ଓ ଗ୍ରାମବାସୀ ମାନେ ଜିଲ୍ଲାପାଳ ଓ ପିଡିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଘଟଣାରେ ସଠିକ ତଦନ୍ତ ପାଇଁ ଦାବି କରିଛନ୍ତି ।

କାମ ହୋଇ ନାହିଁ , ବିଲ ଉଠାଇ ନେଇଛନ୍ତି । ଏନେଇ ଅଭିଯୋଗ ପାଇବା ପରେ ଯନ୍ତ୍ରୀ ଲୋକ ଲଗାଇ ରାତି ଅଧିଆ କାମ ଆରମ୍ଭ କରିଛନ୍ତି । ତା ପୁଣି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତିରେ । ତରବରିଆ ଭାବେ ଯେଉଁ କାମ ହେଉଛି ତାହା ଅତ୍ୟନ୍ତ ନିମ୍ନ ମାନର ହେଉଥିବା ଜଣାପଡିଛି । ଏପଟେ ଦୁର୍ନୀତିର ଅଭିଯୋଗ ପାଇବା ପରେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବିଡ଼ିଓ ଘଟଣା ସ୍ଥଳକୁ ଆସି ତଦନ୍ତ କରିବା ସହିତ କାମ ବନ୍ଦ ରଖିଛନ୍ତି । ଶୀଘ୍ର ଟେକ୍ନିକାଲ ଟିମ ଆଣି ଅଧିକ ତଦନ୍ତ କରାଯିବ । ଆଉ ଯେଉଁ ମାନେ ଦୁର୍ନୀତିରେ ସଂଶ୍ଲିଷ୍ଟ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ।