ମନରେଗା ଯୋଜନାରେ ରାସ୍ତା ନିର୍ମାଣ ପାଇଁ ହେଉଛି ବାରମ୍ବାର ବିଲ୍‌, ହେଲେ ରାସ୍ତାରେ ଚାଲି ଯିବା ବି କଷ୍ଟ

1 min read

କୋଣାର୍କ: ୨୦୧୦ରୁ ୨୦୨୦ । ଦଶ ବର୍ଷ ଧରି ଗୋଟିଏ ରାସ୍ତା ନିର୍ମାଣ ପାଇଁ ବ୍ୟୟ ବରାଦ ହେଉଛି । ରାସ୍ତା ନିର୍ମାଣ ହେଉଛି ବୋଲି ବିଲ ମଧ୍ୟ ଦର୍ଶାଯାଉଛି । ହେଲେ ତଥ୍ୟ ଓ ବାସ୍ତବତା ସଂପୂର୍ଣ୍ଣ ଭିନ୍ନ । ରାସ୍ତା ନିର୍ମାଣ ହେବାତ ଦୂରର କଥା ଏପର୍ଯ୍ୟନ୍ତ ରାସ୍ତାରେ ବାଲି ମୁଠାଏ ବି ପଡ଼ିନାହିଁ ।

ରାସ୍ତା ନିର୍ମାଣ ପାଇଁ ୨୦୧୦ ମସିହାରୁ ୨୦୨୦ ପର୍ଯ୍ୟନ୍ତ ମନରେଗା ଯୋଜନାରେ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ବିଲ ହୋଇଛି । ହେଲେ ଏ ରାସ୍ତାରେ ଦୁଇ ଚକିଆ କି ଚାରି ଚକିଆ ଯିବା ଦୂରର କଥା, ଚାଲି ଚାଲି ଯିବା ମଧ୍ୟ କଷ୍ଟ ସାଧ୍ୟ ହୋଇ ପଡିଛି  । ମାଟି କାଦୁଅରେ ଭରପୂର ପୁରୀ ଜିଲ୍ଲା ଗୋପ ବ୍ଲକ ସୋରଭା ପଞ୍ଚାୟତର ରାସ୍ତା ସ୍ଥାନୀୟ ଲୋକଙ୍କ ପାଇଁ ଅଭିଶାପ ପାଲଟିଛି  । ଦିନେ କି ଦୁଇ ଦିନ ନୁହେଁ ଯାତାୟାତ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି   ।

୨୦୧୦ ମସିହାରେ ସୋରଭା ହାଇସ୍କୁଲ ପର୍ଯ୍ୟନ୍ତ ବାଲି ମୋରମ ରାସ୍ତା ପାଇଁ ୯.୦୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା  । ନିର୍ମାଣ କାର୍ଯ୍ୟ ଶେଷ ଦେଖାଇ ୨ଲକ୍ଷ ୨୯ହଜାର ୯୦୨ ଟଙ୍କା ବିଲ ଦର୍ଶାଯାଇଥିଲା  । ୨୦୧୩ -୧୪ ଆର୍ଥିକ ବର୍ଷରେ ୩ଲକ୍ଷ ଟଙ୍କା ଏଷ୍ଟିମେସନ ହୋଇଥିବାବେଳେ କାମ ଶେଷ ଦର୍ଶାଇ ୨କୋଟି ୭୭ଲକ୍ଷ୫୭୧ ହଜାର ୩୫ଟଙ୍କା ବିଲ ହୋଇଥିବା ଜଣାପଡିଛି  ।

୨୦୧୮-୧୯ରେ ୫.୫ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିବାବେଳେ ୩ଲକ୍ଷ ୯୯ହଜାର ୭୦୨ ଟଙ୍କା ବିଲରେ ଦର୍ଶାଯାଇଛି  । ୨୦୧୯-୨୦ ଆର୍ଥିକ ବର୍ଷରେ ରାସ୍ତା ପାଇଁ ୮ଲକ୍ଷ ଟଙ୍କା ବ୍ୟୟ ଧାର୍ଯ୍ୟ ହୋଇଥିବାବେଳେ ରାସ୍ତା କାମ ଚାଲୁଥିବା ଦର୍ଶାଯାଇଛି  । ସେପଟେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି କହିଛନ୍ତି ବିଡିଓ  ।

ବାରମ୍ବାର ଗୋଟିଏ ରାସ୍ତା କାମ ପାଇଁ ସରକାରୀ ତହବିଲରୁ ଅର୍ଥ ଖର୍ଚ୍ଚ ହେଉଥିବାବେଳେ କେବେ ରାସ୍ତା କାମ ସରିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  ।

 

Leave a Reply