ପିକ୍ଅପ୍ ଭ୍ୟାନ୍ ଓଲଟି ୯ ଜଣଙ୍କ ମୃତ୍ୟୁ, ୧୩ ଗୁରୁତର

1 min read

ଜୟପୁର: କୋଟପାଡ଼ ଥାନା NH-୩୨୬ର ସିନ୍ଧି ଗାଁ ମୂର୍ତ୍ତାହାଣ୍ଡିଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ପିକ୍ ଅପ୍ ଭ୍ୟାନ୍ । ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ । ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କ ମେଡିକାଲରେ ମୃତ୍ୟୁ ଘଟିଛି । ଅନ୍ୟ ୧୩ ଜଣ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ୨୫ରୁ ୨୭ ଜଣ ଯାତ୍ରୀଙ୍କୁ ନେଇ ଛତିଶଗଡ଼ ଯାଉଥିଲା ପିକ୍ଅପ୍ ଭ୍ୟାନ୍ । ଦଶାହ କାର୍ଯ୍ୟ ସାର ଛତିଶଗଡ଼ ଫେରୁଥିବା ବେଳେ ଘଟିଛି ଅଘଟଣ । ତେବେ କିଭଳି ଦୁର୍ଘଟଣା ଘଟିଲା ସେ ନେଇ କୌଣସି ସ୍ପଷ୍ଟ  ସୂଚନା ମିଳିନଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଅପରପକ୍ଷରେ ଖବର ପାଇବା ପରେ ଜୟପୁର ଉପଜିଲ୍ଲାପାଳ, ଏସ୍‌ଡିପିଓ ଘଟଣାସ୍ଥଳକୁ ପହଞ୍ଚିଛନ୍ତି । ଘନ ଅନ୍ଧକାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ୱ ହେଉଛି । ଭ୍ୟାନ୍‌ଟି କ୍ଷମତା ଠାରୁ ଅଧିକ ଯାତ୍ରୀ ନେଇ ଯାଉଥିବାରୁ ଦୁର୍ଘଟଣା ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି । ଅଗ୍ନିଶମ ବିଭାଗ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ସୂଚନା ଅନୁଯାୟୀ ଖବର ପାଇଁ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୂର୍ବରୁ ଘଟଣାସ୍ଥଳରେ ଆମ୍ୱୁଲାନ୍ସ ପହଞ୍ଚି ଗୁରୁତର ଲୋକଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଆଉ ୬ ଜଣଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରିଛନ୍ତି ଅଗ୍ନିଶମ ବାହିନୀ ।

ଚିଫ୍ ଫାୟର ଅଫିସର ମହେଶ୍ୱର ସ୍ୱାଇଁଙ୍କ ସୂଚନା ଅନୁଯାୟୀ ଉଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ହୋଇଛି । ଅତି ଗୁରୁତରଙ୍କୁ କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ କିଛି ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସମସ୍ତ ମୃତକ ଏବଂ ଆହତ ଛତିଶଗଡ଼ କୁଲୁଚା ଗାଁ ବାସିନ୍ଦା ।

Leave a Reply