କୁହୁଡ଼ି ଯୋଗୁ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା: ୧୦ ଜଣ ମୃତ ୨୦ ଆହତ

ଲକ୍ଷ୍ନୌ: ଉତ୍ତର ଭାରତରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଏକ ଯାତ୍ରାବାହୀ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୂଚନା ମୁତାବକ ଦୁର୍ଘଟଣାର କାରଣ ଘନ କୁହୁଡ଼ି ବୋଲି କୁହାଯାଉଛି।

ଘଟଣାଟି ଉତ୍ତରପପ୍ରଦେଶର ମୁରାଦାବାଦ ଜିଲ୍ଲାରେ ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଯାଇଥିଲା। ବରିଷ୍ଠ ପୁଲିସ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଥିବାବେଳେ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦେବାକୁ କହିଛନ୍ତି। ତା’ସହିତ ଆହତମାନଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହାପୂର୍ବରୁ, ଜାନୁଆରୀ ୨୦ରେ କୁହୁଡ଼ି ହେତୁ ପଶ୍ଚିମବଙ୍ଗର ଜାଲପାଇଗୁରିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା। କୁହୁଡ଼ି ଯୋଗୁଁ ଅନେକ ଗାଡ଼ି ଗୋଟିଏ ପରେ ଗୋଟିଏ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୧୮ ଜଣ ଆହତ ବି ହୋଇଥିଲେ।

 

 

Leave a Reply