ବରଯାତ୍ରୀ କାରକୁ ଧକ୍କା ଦେଲା ଟ୍ରାକ୍ଟର, ୭ ମୃତ

ପାଟନା: ବିହାରରେ ମର୍ମନ୍ତୁଦ ଦୁର୍ଘଟଣା, ୭ ଜଣଙ୍କ ମୃତ୍ୟୁ ହୋଇଛି। ବିହାରର ଖଗାଡ଼ିଆ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବରଯାତ୍ରୀ କାର୍ ସହ ଟ୍ରାକ୍ଟର ଧକ୍କା ହୋଇଛି। ଫଳରେ କାରରେ ଥିବା ୩ ଶିଶୁଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଅନ୍ୟ ୪ ଜଣ ଆହତ ଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଗତ ରାତିରେ ମୋହନପୁର ଅଞ୍ଚଳରେ ହେଉଥିବା ଏକ ବିବାହ ଉତ୍ସବରେ ଯୋଗ ଦେଇ ଏକ ପରିବାରର ୭ ଜଣ ସଦସ୍ୟ କାର୍‌ ଯୋଗେ ମଡୈୟା ବିଠଲା ଗାଁକୁ ଫେରୁଥିଲେ। ମାତ୍ର ପସରାହା ଥାନା ଅଞ୍ଚଳ ଏନଏଚ ୩୧ରେ କାରଟି ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହାତ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ୪ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ।