ଚିନ୍ତା ବଢ଼ାଇଲା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର; ଏନଫୋର୍ସମେଣ୍ଟ କଡ଼ାକଡ଼ି କରିବାକୁ ପରିବହନ ବିଭାଗର ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ କମିବା ନାଁ ନେଉନି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ । ସିଆଇଡି ଓ କ୍ରାଇମବାଞ୍ଚ ଦେଇଛି ଚିନ୍ତାଜନକ ରିପୋର୍ଟ । ଯେଉଁଥିରେ ୨୦୨୧ ତୁଳନାରେ ୨୦୨୨ରେ ୯.୦୯ପ୍ରତିଶତରୁ ଅଧିକ ବଢିଛି ମୃତ୍ୟୁହାର । ଏପରିକି ୬ଟି ଜିଲ୍ଲାରେ ଏହା ୨୦ ପ୍ରତିଶତ ବୃଦ୍ଧି ପାଇଛି । ଢେଙ୍କାନାଳ, ଭଦ୍ରକ, ପୁରୀ, ସୁବର୍ଣ୍ଣପୁର, ଦେବଗଡ଼ ଓ ନୟାଗଡ଼ରେ ଏହା ୨୦ ପ୍ରତିଶତରୁ ଅଧିକ ବଢିଛି । ସେହିପରି ସୁନ୍ଦରଗଡ଼, ଗଞ୍ଜାମ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, କଟକ, ସମ୍ବଲପୁର, କୋରାପୁଟ ଓ ଯାଜପୁରରେ ୨୦୦ରୁ ଅଧିକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଛି ।

ଏହାକୁ ଦୃଷ୍ଟିରେ ରଖି ଏନଫୋରସମେଣ୍ଟ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛି ପରିବହନ ବିଭାଗ । ଏଣିକି ପ୍ରତି ମଙ୍ଗଳବାରକୁ ଜିରୋ ଟଲରାନସ୍ ଡେ ଭାବେ ପାଳନ କରି ସଡ଼କ ସୁରକ୍ଷା ନିୟମ ଉଲଂଘନକାରୀଙ୍କ ମନରେ ଭୟ ସୃଷ୍ଟି କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଦୃତ ଗାଡ଼ି ଚାଳକ, ମଦ୍ୟପ ଡ୍ରାଇଭର, ଭୁଲ ସାଇଡ୍ ଡ୍ରାଇଭିଂ, ମୋବାଇଲ ଫୋନରେ ଗପି ଗାଡି ଚଲାଉଥିବା ଲୋକ, ହେଲମେଟ ଓ ସିଟ ବେଲ୍ଟ ନ ପିନ୍ଧିଥିବା ନିୟମ ଉଲଂଘନକାରୀଙ୍କ ପାଇଁ ମଙ୍ଗଳବାର ଏନଫୋରସମେଣ୍ଟ କଡ଼ାକଡ଼ା କରିବେ ପୋଲିସ ଓ ଆରଟିଓ ।

ଯାହାର ମାସିକ ରିପୋର୍ଟ ପରିବହନ କମିଶନରଙ୍କୁ ପଠାଯିବ । ସେହିପରି ଏପ୍ରିଲ ୧ରୁ ୭ ଯାଏ ଜିରୋ ଫାଟାଲିଟି ଓ୍ବିକ୍ ଭାବେ ପାଳନ କରାଯିବ । ଏହି ସପ୍ତାହ ଭିତରେ ରାଜ୍ୟରେ ଯେପରି ଗୋଟାଏ ବି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ନ ହୁଏ, ସେ ମିଳିତ ପଦକ୍ଷେପ ନିଆଯିବ । ଏଥି ପାଇଁ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟ ଖସଡ଼ା ସାରିବାକୁ ତାଲିକା ପ୍ରସ୍ତୁତ ହୋରଇଛି । ଏହି ଖସଡ଼ାକୁ ସ୍ବାସ୍ଥ୍ୟ, ପୂର୍ତ୍ତ, ଜାତୀୟ ରାଜପଥ, ଗ୍ରାମୀଣ ବିକାଶ, ଗୃହ, ନଗର ଉନ୍ନୟନ ଓ ପରିବହନ କମିଶନର କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।