ପ୍ରସାଦ ବିବାଦ ପରେ ତିରୁପତି ବାଲାଜି ମନ୍ଦିରର ହେଉଛି ଶୁଦ୍ଧିକରଣ

ତିରୁପତି: ବାଲାଜି ମନ୍ଦିର ହେଉଛି ଶୁଦ୍ଧିକରଣ । ମନ୍ଦିରରେ ମହାଶାନ୍ତି ହୋମ ଆୟୋଜନ କରିଛି ତିରୁମାମଲା ତିରୁପତି ଦେବସ୍ଥାନମ୍। ତିରୁପତି ବାଲାଜି ମନ୍ଦିର ପ୍ରସାଦ ନେଇ ବିବାଦ ପରେ ମନ୍ଦିରକୁ ସୁଦ୍ଧିକରଣ ନିଷ୍ପତ୍ତି ନେଇଥିଲେ ଆନ୍ଧ୍ରପ୍ରଦେଶ ସରକାର । ଏଠାରେ ପ୍ରସାଦ ରୂପେ ମିଳୁଥିବା ଲଡୁରେ ପଶୁ ଚର୍ବି ଓ ମାଛ ତେଲ ଏବଂ ଅପମିଶ୍ରିତ ଘିଅ ବ୍ୟବହାର କରାଯାଉଥିବା କଥା ସାମ୍ନାକୁ ଆସିବା ପରେ ସାରା ଦେଶରେ ଆସନ୍ତୋଷ ଜାରି ରହିଛି। ଏହାକୁ ନେଇ ରାଜନୀତି ମଧ୍ୟ ତୀବ୍ର ହେବାରେ ଲାଗିଛି।
ଏହାରି ଭିତରେ ମହାଶାନ୍ତି ହୋମ ଆୟୋଜନ କରିଛି ତିରୁମାମଲା ତିରୁପତି ଦେବସ୍ଥାନମ୍। ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କାର୍ଯ୍ୟନିର୍ବାହୀ ଅଧିକାରୀ ଶାମାଲା ରାଓ ଏବଂ ବୋର୍ଡର ଅନ୍ୟ ଅଧିକାରୀମାନେ ପୁରୋହିତଙ୍କ ସହ ଏହି ହୋମରେ ଯୋଗ ଦେଇଛନ୍ତି। ମନ୍ଦିରର ଶୁଦ୍ଧିକରଣ ଓ ଶାନ୍ତି ପାଇଁ ଏହି ହୋମ ଯଜ୍ଞ କରାଯାଉଛି।ନିକଟରେ ଆନ୍ଧ୍ରପ୍ରଦେଶ ସରକାର ଏହି ଲଡ଼ୁ ବିବାଦ ସାମ୍ନାକୁ ଆସିବା ପରେ ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଥିଲେ, ଯେଉଁଥିରେ ପରମ୍ପରା ଅନୁଯାୟୀ ମନ୍ଦିରକୁ ଶୁଦ୍ଧ କରାଯିବ ବୋଲି କୁହାଯାଇଥିଲା।
ସେପଟେ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି ଆନ୍ଧ୍ର ସରକାର । ଜଣେ ଆଇଜି ସ୍ତରୀୟ ଅଧିକାରୀଙ୍କ ତତ୍ବାଧନାରେ ତଦନ୍ତ କରିବ ଏସଆଇଟି । ସାମ୍ନାକୁ ଆସିଥିବା ବିବାଦରେ କେତେ ଦୂର ସତ୍ୟତା ରହିଛି, ସତରେ ପ୍ରସାଦରେ ଚର୍ବି ଓ ମାଛ ତେଲ ଏବଂ ଅପମିଶ୍ରିତ ଘିଅ ମିଶୁଥିଲା କି ? ତତକାଳୀନ ସରକାର ସତ୍ତାର ଅପବ୍ୟବହାର କରିଥିଲେ କି ? ଏ ସମସ୍ତ ଦିକୁ ନେଇ ତଦନ୍ତ କରିବ ଏସଆଇଟି । ଏହାର ଯାଞ୍ଚ ପରେ ସରକାରଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରାଯିବ ।