ପୁରୀ: ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଶ୍ରୀଜିଉଙ୍କ ରଥ ବିଜେକୁ ଚାତକ ପକ୍ଷୀ ପରି ଅନାଇ ବସିଛନ୍ତି ଭକ୍ତ । ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀଜିଉ ଭକ୍ତଙ୍କ ମେଳାରେ ଗୁଣ୍ଡିଚା ଯାତ୍ରା କରୁଥିବାରୁ ସବୁଠି ଉତ୍ସାହ ଓ ଉତ୍କଣ୍ଠା । ଏହା ମଧ୍ୟରେ ଆସନ୍ତାକାଲି ଶ୍ରୀଜିଉଙ୍କ ନୀତି ନିର୍ଘଣ୍ଟ ଆସିଛି । କେତେ ବେଳେ କେଉଁ ନୀତି ସମ୍ପାଦନ ହେବ ଓ ରଥ କେତେ ବେଳେ ଟଣାଯିବ ଆସନ୍ତୁ ଜାଣିବା ।

ସକାଳ ୬ଟାରେ ହେବ ମଙ୍ଗଳ ଆଳତି । ୬ଟା ୧୦ରେ ମଇଲମ ଓ ୬ଟା ୩୦ରେ ତଡ଼ପ ଲାଗି ନୀତି । ଏହି ସମୟରେ ହେବ ରୋଷହୋମ । ଏହାପରେ ସକାଳ ୭ଟାରେ ଶ୍ରୀଜିଉଙ୍କ ଅବକାଶ ନୀତି । ୭ଟା ୧୦ରେ ସୂର୍ଯ୍ୟ ପୂଜା ଓ ୭ଟା ୩୦ରେ ଦ୍ବାରପାଳ ପୂଜା । ସେହି ୭ଟା ୩୦ରେ ବେଶ ଶେଷ । ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ଅନୁଷ୍ଠିତ ହେବ ।

ସକାଳ ୯ଟାରେ ହେବ ରଥ ପ୍ରତିଷ୍ଠା । ୯ଟା ୧୫ରେ ମଙ୍ଗଳାର୍ପଣ ଓ ସାଢେ ୯ଟାରେ ଆରମ୍ଭ ହେବ ପହଣ୍ଡି । ୧୨ଟା ୩୦ରେ ଶେଷ ହେବ ପହଣ୍ଡି । ଏହାପରେ ଅପରାହ୍ଣ ଗୋଟାଏରେ ରାମ ଓ କୃଷ୍ଣ ବିଜେ, ସାଢେ ଗୋଟାଏରୁ ୨ଟା ମଧ୍ୟରେ ଚିତା ଲାଗି, ୨ଟା ୩୦ ସୁଦ୍ଧା ବେଶ ଶେଷ ହେବ ।

୨ଟା ୩୦ରୁ ସାଢେ ୩ଟା ପର୍ଯ୍ୟନ୍ତ ଛେରାପହଁରା । ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ରଥରେ ଲାଗିବ । ଅପରାହ୍ଣ ୪ଟାରୁ ରଥଟଣା ଆରମ୍ଭ ହେବ ।