ବ୍ରିଟେନରେ ସୁନକ ଶାସନ ଆରମ୍ଭ; କହିଲେ ଏବେ ଦେଶ ସମସ୍ୟାରେ ଅଛି, ଏହାକୁ ସୁଧାରିବି
1 min readଲଣ୍ଡନ: ଭାରତୀୟ ବଂଶୋଦ୍ଧବ ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । କିଙ୍ଗ ଚାର୍ଲସ ତାଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି । କିଙ୍ଗ ଚାର୍ଲସଙ୍କୁ ଭେଟିବା ପାଇଁ ନିଜର ବ୍ୟକ୍ତିଗତ କାରରେ ବକଂହାମ ପାଲେସରେ ପହଞ୍ଚିଥିଲେ ସୁନକ । ଏହାପରେ କିଙ୍ଗ ଚାର୍ଲସ ତାଙ୍କୁ ନିଯୁକ୍ତ ପତ୍ର ହସ୍ତାନ୍ତର କରିଥିଲେ । କିଙ୍ଗ ଏବଂ ସୁନକଙ୍କ ଭେଟଘାଟ ବକିଂହାମ ପାଲେସର ରୁମ ନଂ ୧୮୪୪ରେ ହୋଇଥିଲା । ଏହିଠାରେ ହିଁ ଚାର୍ଲସ ଋଷିଙ୍କୁ ନୂଆ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଛନ୍ତି, ତାଙ୍କୁ ଆପଏଣ୍ଟମେଣ୍ଟ ଲେଟର ହସ୍ତାନ୍ତର କରିଥିଲେ। ଏହାପରେ ଋଷି ସୁନକ ପ୍ରାଇମ ମିନିଷ୍ଟରର ଅଫିସିଆଲ କାରରେ ଅଫିସିଆଲ ରେସିଡେନ୍ସ ୧୦ ଡାଉନିଂଷ୍ଟ୍ରିଟ ପହଞ୍ଚିଥିଲେ ।
ପ୍ରଧାନମନ୍ତ୍ରୀ ଭାବରେ ଦେଶକୁ ସମ୍ବୋଧନ କରିଛନ୍ତି । ନିଜ ସମ୍ବୋଧନରେ ସୁନକ କହିଛନ୍ତି, ଦେଶର ଆର୍ଥିକ ସ୍ଥିତି ଖୁବ ଶୀଘ୍ର ସୁଧୁରିବ । ଶିକ୍ଷା ଓ ଆର୍ଥିକ ସ୍ଥିତି ସୁଦୃଢ ପାଇଁ କାମ କରିବି । ସାଧାରଣ ଲୋକଙ୍କ ଜୀବନ ସୁରକ୍ଷା କରିବା ମୋର ବଡ଼ ଦାୟିତ୍ୱ । ରୁଷ୍-ୟୁକ୍ରେନ ଯୁଦ୍ଧ ଦ୍ୱାରା ଦେଶର ଅର୍ଥନୀତି ଆହୁରି ଖରାପ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ସ୍ଥିତି ସୁଧାରିବାକୁ ଚାହୁଁଥିଲେ, ସେ ବିନା ଥକି କାମ କରିଥିଲେ, କିନ୍ତୁ ତାଙ୍କଦ୍ୱାରା ମଧ୍ୟ ଭୁଲ ହୋଇଛି । ଏବେ ସେ ଭୁଲକୁ ସୁଧାରିବାର ସମୟ ଆସିଛି । ପୁଣିଥରେ ଦେଶକୁ ଏକଜୁଟ କରିବି । କେବଳ ଏହା କଥା ନୁହେଁ ଏହା ମୁଁ ପୂରଣ କରି ଦେଖାଇବି ।
ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ବକିଂହାମ ପ୍ୟାଲେସ ପହଞ୍ଚିଥିଲେ ଏବଂ କିଙ୍ଗ ଚାର୍ଲସଙ୍କୁ ଭେଟି ନିଜର ଇସ୍ତଫା ପତ୍ର ତାଙ୍କୁ ହସ୍ତାନ୍ତର କରିଥିଲେ । ବକିଂହାମ ପ୍ୟାଲେସ ପହଞ୍ଚିବା ପୂର୍ବରୁ ଲିଜ ଟ୍ରସ୍ ମଧ୍ୟାହ୍ନରେ କ୍ୟାବିନେଟ ମନ୍ତ୍ରୀମାନଙ୍କ ସହ ବୈଠକ କରିଥିଲେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ସେ ଦେଶକୁ ପ୍ରଧାନମନ୍ତ୍ରୀ ଭାବରେ ବିଦାୟୀ ଭାଷଣ ଦେଇଥିଲେ ।
ଏହି ଅବସରରେ ସେ କହିଥିଲେ, ଆମ ସରକାର ରାଜନୈତିକ ସଙ୍କଟ ମଧ୍ୟରେ ଲୋକଙ୍କ ସହାୟତା ପାଇଁ ତୁରନ୍ତ ପଦକ୍ଷେପ ନେଇଛି । ସୂଚନାଥାଉକି, ଋଷି ସୁନକ ବ୍ରିଟେନର ପ୍ରଥମ ହିନ୍ଦୁ ଏବଂ ଅଣ ଗୋରା ପ୍ରଧାନମନ୍ତ୍ରୀ ଅଟନ୍ତି । ଭାରତୀୟ ସଫ୍ଟୱେୟାର କମ୍ପାନୀ ଇନଫୋସିସର କୋ ଫାଉଣ୍ଡର ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ହେଉଛନ୍ତି ସୁନକ । ସେ ପ୍ରଧାନମନ୍ତ୍ରୀ ହେବା ପରେ ମୂର୍ତ୍ତି କହିଛନ୍ତି, ଋଷିଙ୍କୁ ଶୁଭେଚ୍ଛା ।
ଆମେ ତାଙ୍କୁ ନେଇ ଗର୍ବିତ ଏବଂ ତାଙ୍କ ସଫଳତାର କାମନା କରୁଛୁ । ଆମକୁ ବିଶ୍ୱାସ ରହିଛି ଯେ ବ୍ରିଟେନର ଲୋକମାନଙ୍କ ପାଇଁ ସେ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବେ । ତେବେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରେ ସୁନକଙ୍କ ସମ୍ନାରେ ଅନେକ ଚ୍ୟାଲେଞ୍ଜ ରହିବ । ସବୁଠୁ ମୁସ୍କିଲ ଚ୍ୟାଲେଞ୍ଜ ହେଉଛି ବ୍ରିଟେନର ଅର୍ଥନୀତିକୁ ସୁଧାରିବା ।