ବହି ନୁହେଁ,କ୍ୟାମେରାକୁ ପ୍ରେମ କରେ କପୁର ପରିବାର,ଅଷ୍ଟମ ଯାଏଁ ପଢିଥିଲେ ଋଷି

1 min read

ମୁମ୍ବାଇ: ଇରଫାନଙ୍କୁ ହରାଇବାର ୨୪ ଘଣ୍ଟାରୁ କମ ସମୟ ଭିତରେ ଦେଶ ଋଷି କପୁରଙ୍କୁ ହରାଇଛି । ଆଜି ସକାଳ ୮.୪୫ ମିନିଟରେ ଋଷିଙ୍କ ପରଲୋକ ହୋଇଛି । ବଲିଉଡରେ କପୁର ପରିବାରର ଦବଦବା ରହିଛି । ଋଷି ଥିଲେ କପୁର ପରିବାରର ତୃତୀୟ ପୀଢିର ସଦସ୍ୟ । କପୁର ପରିବାରର ତୃତୀୟ ପୀଢି ହେଉଛନ୍ତି ରାଜ କପୁର-କୃଷ୍ଣା କପୁରଙ୍କ ସନ୍ତାନ ଋଷି,ରାଜିବ,ରିତୁ ନନ୍ଦା ଓ ରିମା ଜୈନ ।

ଥରେ ଋଷି ଗୋଟିଏ ସାକ୍ଷାତକାରରେ କହିଥିଲେ ଯେ, ‘‘ ପିଲାବେଳୁ ଆମ ଘରର ପରିବେଶ ଫିଲ୍ମି ଥିଲା । ଆମେ ପିଲାବେଳୁ ହିଁ ଫିଲ୍ମ ତିଆରି ହେବା ଦେଖି ଆସୁଥିଲୁ । ସେହି ସମୟରେ ଫିଲ୍ମରେ କାମ କରିବାକୁ ମନକୁ ମନ ଇଛା ହୋଇଥିଲା । କାରଣ ମୁଁ ଏଭଳି ପରିବାର ସହ ସଂପର୍କ ରଖେ ଯେଉଁଠି ରକ୍ତର ଅଭିନୟ ରହିଛି’’


ଋଷି କହିଥିଲେ ଯେ, ‘‘ ଅନେକ ବର୍ଷ ଧରି ଦେଶକୁ ମନୋରଂଜନ ଦେଇ ଆସୁଥିବା ଏଭଳି ଗୋଟିଏ ପରିବାରରେ ଜନ୍ମ ନେଇଥିବାରୁ ମୁଁ ନିଜକୁ ଗର୍ବିତ ଅନୁଭବ କରେ ’’। ଋଷି କହିଥିଲେ ଯେ, ମୁଁ ନିଜ ପରିବାରର ତୃତୀୟ ପୀଢି ଯିଏ ଫିଲ୍ମରେ କାମ କରୁଛି । ମୋ ପିଲା ଯଦି ଏହି ପ୍ରଥାକୁ ଆଗକୁ ବଢାନ୍ତି ତେବେ ମୁଁ ନିଜକୁ ଭାଗ୍ୟବାନ ବୋଲି ମନେ କରିବି । ଏଠାରେ କହିବା ଜରୁରୀ ନୁହେଁ ଯେ, ଋଷି କପୁରଙ୍କ ପୁଅ ରଣବୀର ମଧ୍ୟ ବଲିଉଡର ଜଣେ ଆଗଧାଡିର ଅଭିନେତା ।

କପୁର ପରିବାର ଫିଲ୍ମ ସହ ନିଜ ସଂପର୍କ ପାଇଁ ପରିଚିତ । କିନ୍ତୁ ଏହି ପରିବାରର ପାଠ ସହ ପ୍ରେମ ସଂପର୍କ ନଥିଲା । ଏହି ପରିବାରର ସବୁ ସଦସ୍ୟ କ୍ୟାମେରା ପ୍ରେମରେ ପଡିଥିଲେ । ଋଷି ନିଜେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ । ରଣବୀର ଗୋଟିଏ ସାକ୍ଷାତକାରରେ ଥରେ କହିଥିଲେ ଯେ, ଯେତେବେଳେ ଦଶମ ଶ୍ରେଣୀ ପରୀକ୍ଷାରେ ସେ ୫୮ ପ୍ରତିଶତ ନମ୍ବର ରଖିଲେ,ସେତେବେଳେ ଆମେରିକାରେ ତାଙ୍କ ପରିବାର ପକ୍ଷରୁ ସେଲିବ୍ରେସନ୍ ହୋଇଥିଲା । ଆଭରେଜ୍ ମାର୍କକୁ ନେଇ ଏତେ ଖୁସୀ ହେବା ପଛର କାରଣ ହେଉଛି କପୁର ପରିବାରର ପ୍ରଥମ କିମ୍ବା ଦ୍ୱିତୀୟ ପୀଢିର କୌଣସି ସଦସ୍ୟ ୧୦ମ ପାସ୍ କରି ପାରିନଥିଲେ ।

ପାଠପଢାକୁ ନେଇ ରଣବୀର କହିଥିଲେ ଯେ, ‘‘ ପାଠପଢାକୁ ନେଇ ମୋ ପରିବାରର ଇତିହାସ ସେତେ ଭଲ ନଥିଲା । ମୋ ବାପା ଅଷ୍ଟମ ଶ୍ରେଣୀରେ ଫେଲ ହୋଇଯାଇଥିଲେ,ମୋ ଦାଦା ନବମ ଶ୍ରେଣୀରେ ଫେଲ୍ ହୋଇଥିବା ବେଳେ ମୋ ଜେଜ ଶଷ୍ଠ ଶ୍ରେଣୀ ଡେହିଁ ପାରିନଥିଲେ । ବାସ୍ତବରେ ମୁଁ ମୋ ପରିବାରର ସବୁଠୁ ଅଧିକ ଶିକ୍ଷିତ ସଦସ୍ୟ । ମୋତେ ୧୦ମ ବୋର୍ଡ ପରୀକ୍ଷରେ ୫୮ ପ୍ରତିଶତ ମାର୍କ ମିଳିଥିବା ବେଳେ ବେଷ୍ଟ ଫାଇଭ୍ ସବଜେକ୍ଟରେ ୬୦ ପ୍ରତିଶତ ଅଙ୍କ ମିଳିଥିଲା ।

Leave a Reply