୩ ବର୍ଷ ପୂର୍ବରୁ ଋଷି କପୁର ତାଙ୍କ ମୃତ୍ୟୁ ବିଷୟରେ କହିଥିଲେ ଏମିତି କଥା, ଭାଇରାଲ ହେଉଛି ଏହି ଟ୍ୱିଟ
ମୁମ୍ବାଇ: ଏପ୍ରିଲ ମାସ ୩୦ ତାରିଖରେ ବଲିଉଡର ଦିଗ୍ଗଜ ଅଭିନେତା ଋଷି କପୁର ଏହି ଦୁନିଆକୁ ସବୁଦିନ ପାଇଁ ବିଦାୟ ଦେଇଥିଲେ । ସମଗ୍ର ଇଣ୍ଡଷ୍ଟ୍ରି ପାଇଁ ଏହା ଗ୍ରହଣ କରିବା କଷ୍ଟକର ଥିଲା । ଋଷି କପୁରଙ୍କ ପ୍ରଶଂସନୀୟ ଅଭିନୟ ଦର୍ଶକ କେବେ ଭୁଲିପାରିବେ ନାହିଁ । ସେ ବଲିଉଡର ଜଣେ ଏମିତି ଅଭିନେତା ଥିଲେ ଯିଏ ୪୫ରୁ ଅଧିକ ଅଭିନେତ୍ରୀଙ୍କ ସହ ପରଦାରେ ରୋମାନ୍ସ କରିଛନ୍ତି । ଚକୋଲେଟ୍ ହିରୋଠୁ ଆରମ୍ଭ କରି ତାଙ୍କର ପ୍ରତ୍ୟେକ ଭୂମିକା ଲୋକଙ୍କ ମଧ୍ୟରେ ଚର୍ଚ୍ଚିତ ଥିଲା । ଜଣେ ବାପା ଚରିତ୍ରରେ ମଧ୍ୟ ଋଷି କପୁରଙ୍କୁ ଅନେକ ଭଲ ପାଇବା ମିଳିଥିଲା । ନିଜକୁ ଜଣେ ଦକ୍ଷ ଅଭିନେତା ଭାବରେ ପ୍ରମାଣିତ କରିବାରେ ସଫଳ ହୋଇଥିଲେ ଏହି ଅଭିନେତା । ତେବେ ଋଷିଙ୍କର ଏକ ପୁରୁଣା ଟୁଇଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଟୁଇଟ୍ ସେ ତିନି ବର୍ଷ ପୂର୍ବରୁ କରିଥିଲେ ।
ବିନୋଦ ଖାନ୍ନାଙ୍କ ମୃତ୍ୟୁ ସମୟରେ ସେ ଏକ ଟୁଇଟ୍ କରିଥିଲେ । ଏହି ଟୁଇଟ୍ ମାଧ୍ୟମରେ ଋଷି କପୁର ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଥିଲେ । ଋଷି କପୁର ଓ ବିନୋଦ ଖାନ୍ନା ଚାନ୍ଦନୀ ଏବଂ ଅମର ଅକବର ଆନ୍ଥୋନି ଭଳି ଚଳଚ୍ଚିତ୍ରରେ ଏକା ସହ କାମ କରିଥିଲେ। ଏହା ବ୍ୟତୀତ ସେ ତାଙ୍କୁ ନିଜ ବଡ ଭାଇ ମାନୁଥିଲେ । ଯେତେବେଳେ ବିନୋଦ ଖାନ୍ନାଙ୍କର ମୃତ୍ୟୁ ହୋଇଥିଲା, ତାଙ୍କ ଅନ୍ତିମ ସଂସ୍କାରରେ ବହୁତ କମ୍ ଲୋକେ ଉପସ୍ଥିତ ଥିଲେ । ଏପରିକି ନୂଆ ପିଢିର କୌଣସି କଳାକାର ସେଠାରେ ପହଞ୍ଚି ନଥିଲେ। ଏଥିପାଇଁ ଋଷି କପୁର ଅସନ୍ତୋଷ ବ୍ୟକ୍ତ କରିଥିଲେ।
ତାଙ୍କର ଏହି ଟ୍ୱିଟ୍ ପୁଣି ଥରେ ପ୍ରଶଂସକଙ୍କ ମଧ୍ୟରେ ଭାଇରାଲ ହେବାରେ ଲାଗିଛି ଯେଉଁଠାରେ ସେ ତାଙ୍କ ମୃତ୍ୟୁ ବିଷୟରେ ମଧ୍ୟ କହିଥିଲେ। ଏହି ଟୁଇଟରେ ସେ ଲେଖିଥିଲେ ଯେ, ବିନୋଦ ଖାନ୍ନାଙ୍କ ଅନ୍ତିମ ସଂସ୍କାରରେ ନୂତନ ପିଢିର କୌଣସି କଳାକାର ଯୋଗ ଦେଇନଥିଲେ। ଯେଉଁମାନେ ତାଙ୍କ ସହ କାମ କରିଛନ୍ତି ସେମାନେ ମଧ୍ୟ ଆସିନଥିଲେ । ଏହା ପରେ ସେ ଲେଖିଥିଲେ ଯେ, “ଯେତେବେଳେ ମୁଁ ମରିବି, ମୁଁ ମଧ୍ୟ ମୋ ମୃତ୍ୟୁ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ”।ୱ କେହି ମୋ ମୃତ ଶରୀରକୁ କାନ୍ଧ ଦେବେ ନାହିଁ “ ।
ତେବେ ବର୍ତ୍ତମାନ ଯେତେବେଳେ ଋଷି କପୁର ପ୍ରକୃତରେ ଆଉ ନାହାଁନ୍ତି, ସେତେବେଳେ ତାଙ୍କର ଟ୍ୱିଟ୍ ଭାଇରାଲ୍ ହେବାରେ ଲାଗିଛି । ସମଗ୍ର ଦେଶରେ ଏବେ କରୋନା ଯୋଗୁଁ ଲକଡାଉନ୍ ଚାଲିଥିବା ସମୟରେ ଋଷି କପୁରଙ୍କ ଦେହାନ୍ତ ହୋଇଛି। ଏହି କାରଣରୁ, ତାଙ୍କ ଅନ୍ତିମ ସଂସ୍କାରରେ ଖୁବ୍ କମ୍ ଲୋକ ପହଞ୍ଚିଥିଲେ । ମାତ୍ର ୨୫ ଜଣଙ୍କ ମଧ୍ୟରେ ଶବଦାହ କରାଯାଇଥିଲା। ମୃତ୍ୟୁ ପୂର୍ବରୁ ତାଙ୍କର କିଛିଟା ଇଚ୍ଛା ପୂରଣ ହୋଇପାରିଲା ନାହିଁ । ପାକିସ୍ତାନରେ ଥିବା ତାଙ୍କର ପୁସ୍ତେନି ଘରକୁ ଋଷି ଶେଷ ଥର ପାଇଁ ଦେଖିବାକୁ ଚାହୁଁଥିଲେ। କେବଳ ସେତିକି ନୁହେଁ, ସେ ଚାହୁଁଥିଲେ ଯେ, ରଣବୀର ବିବାହ କରନ୍ତୁ । ଏହା ସହ ତାଙ୍କର ଜେଜେବାପା ହେବାର ମଧ୍ୟ ଭାରି ଇଚ୍ଛା ଥିଲା । ଋଷିଙ୍କ ପାଇଁ ତାଙ୍କ ପରିବାର ହିଁ ସବୁକିଛି ଥିଲା । ସମଗ୍ର କପୁର ପରିବାର ଏକତ୍ର ହୋଇ ସମସ୍ତ ପର୍ବ ପାଳନ କରନ୍ତି । ଋଷିଙ୍କୁ ଶେଷ ବିଦାୟ ମଧ୍ୟ ସମଗ୍ର କପୁର ପରିବାର ଏକାଠି ଦେଇଥିଲେ।