ଅନିଶ୍ଚିତତା ଭିତରେ କ୍ଯାପିଟାଲ ରିଜିୟନ ରିଙ୍ଗ ରୋଡ ପ୍ରକଳ୍ପ

ନନ୍ଦିଘୋଷ ବ୍ୟୁରୋ: ଆଗରୁ ଟେଣ୍ଡର ତାରିଖ ଘୁଞ୍ଚୁଥିଲା । ଏବେ ଜନଶୁଣାଣି ତାରିଖ ବି ଘୁଞ୍ଚିଲାଣି । ପୁଣି ଥରେ କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡ ଭାଗ୍ୟ ସରକାରୀ ପ୍ରକ୍ରିୟାରେ ଅଟକିଛି । ପ୍ରାଶାସନିକ ମଞ୍ଜୁରି କେବେ ମିଳିବ ଦୂର କଥା  ରାଜ୍ୟ ସରକାରଙ୍କ ତତ୍ପରତା ଅଭାବରୁ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଉଛି ସିଆର୍ଆର୍ ଭାଗ୍ୟ । ଅଭିଯୋଗ ହୋଇଛି କେରଳ, ହରିୟାଣାଠାରୁ ଓଡ଼ିଶା କ୍ଷେତ୍ର ଓ ଜନସଂଖ୍ୟାରେ ୪ ଗୁଣ ଅଧିକ ହୋଇ ବି ଜାତୀୟ ରାଜପଥ ବାବଦରେ କମ୍ ଟଙ୍କା ପାଉଛି । କେବଳ ପରିକଳ୍ପନା ନେଇ ବାହାବା ଗୋଟାଉଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ ହୋଇଛି ।

ଅନିଶ୍ଚିତତା ଭିତରେ କି କ୍ୟାପିଟାଲ ରିଜିୟନ୍ ରିଙ୍ଗ ରୋଡ ଭାଗ୍ୟ ? ଟେଣ୍ଡର ତାରିଖ ଘୁଞ୍ଚୁଥିଲା । ଏବେ ଘୁଞ୍ଚିଲାଣି ଜନଶୁଣାଣି ତାରିଖ । ସେପଟେ କେରଳ ଓ ହରିୟାଣା ଭଳି ଓଡ଼ିଶାରୁ ୪ ଗୁଣ ଛୋଟ ରାଜ୍ୟ ଏନ୍ଏଚ୍ ବିକାଶ ବାବଦରେ ଡବଲ ଅର୍ଥ ପାଉଛନ୍ତି । ଭୁବନେଶ୍ବର, କଟକ, ଖୋର୍ଦ୍ଧା ସମେତ ସହରକୁ ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତ କରିବା ପାଇଁ ଦୀର୍ଘ ବର୍ଷ ତଳେ ପରିକଳ୍ପନା ହୋଇଥିବା ସିଆର୍ଆର୍ । ହେଲେ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ମଞ୍ଜୁରି ପାଇପାରିଲାନି । ଖୋର୍ଦ୍ଧା ରାମେଶ୍ବରରୁ କଟକ ଟାଙ୍କୀ ପର୍ଯ୍ୟନ୍ତ ଜନଶୁଣାଣି ଶେଷ ତାରିଖ ଧାର୍ଯ୍ୟ ହୋଇଥିବା ୨୦୨୫ ଏପ୍ରିଲ ୫ ତାରିଖ । ଏବେ ପୁଣି ବଢିଲା ଏପ୍ରିଲ ୨୧ ତାରିଖକୁ । ସେପଟେ ମାର୍ଚ୍ଚ ୨୦ ତାରିଖ ଟେଣ୍ଡର ଆହ୍ବାନର ଶେଷ ତାରିଖ ଧାର୍ଯ୍ୟ କରିଥିଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷ । ଏବେ ଆସନ୍ତାମାସ ୨୪ ତାରିଖକୁ ବୃଦ୍ଧି କରାଯାଇଛି । କ୍ଯାପିଟାଲ ରିଜିୟନ ରିଙ୍ଗ ରୋଡ ବାସ୍ତବ ରୂପ ନେବା ପାଇଁ କେତେ ଦିନ ଚାଲିବ ସରକାରୀ ପ୍ରକ୍ରିୟା ବୋଲି ପ୍ରଶ୍ନ ଉଠିଛି ।

ସହରକୁ ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ହେଲେ କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡର ଆବଶ୍ୟକତା ରହିଛି । ଏହାକୁ କେନ୍ଦ୍ର ସରକାରଙ୍କ ସଂସ୍ଥା ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିର୍ମାଣ କରିବେ ସିନା ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଏ ନେଇ କେନ୍ଦ୍ର ପାଖରେ ବାରମ୍ବାର ଜୋର ଦାବି ରଖିବା ଦରକାର । କାମ ତ୍ବାରାନ୍ବିତ କରିବାକୁ ହେଲେ ପଦୁଟିଏ କହିଦେଲେ ଚଳିନନି । ରାଜ୍ୟରେ ଏବେ ଡବଲ୍ ଇଞ୍ଜିନ ସରକାର । ଲୋକେ ଆଶା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଯେପରି ଘୋଷଣା କରିଥିଲେ ସେତିକି ବେଗରେ କାମ ଆରମ୍ଭ ହେବା କଥା । କିନ୍ତୁ ସେସବୁ ପ୍ରତିଶ୍ରୁତି ଏବେ ପାଣିର ଗାର ହୋଇ ରହିଛି । ରାଜ୍ୟ ସରକାର ବି କେବଳ ଆଶା ଦେଖାଇଚାଲିଛନ୍ତି । କେବେ ପୂରା ହେବ ଜନଶୁଣାଣି ? କେବେ ପାଇବ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ? ଏ ସବୁ ପ୍ରସଙ୍ଗରେ କେନ୍ଦ୍ରୀୟ ସଂସ୍ଥାଙ୍କ ଆଗରେ ରାଜ୍ୟ ସରକାର ତତ୍ପରତା ନ ଦେଖାଇଲେ କୌଣସିଟିରେ ଅଗ୍ରଗତି ହେବନି । ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆଗରୁ ସ୍ପଷ୍ଟ କରିଛନ୍ତି ଯେ ପର୍ଯ୍ୟନ୍ତ ଜନଶୁଣାଣି ନ ସରିଛି ଏବଂ ପରିବେଶ ମଞ୍ଜୁରୀ ନ ମିଳିଛି ସେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ମଞ୍ଜୁରୀ ମିଳିବନି ।