କୋରାପୁଟ ଜିଲ୍ଲାରେ ପ୍ରହସନ ପାଲଟିଛି ଧାନମଣ୍ଡି, ମନ୍ତ୍ରୀଙ୍କ ଉଦଘାଟନର ୧୦ ଦିନ ହେଲା ଚାଷୀ ବିକ୍ରି କରିବାରେ ଅସମର୍ଥ
ନନ୍ଦିଘୋଷ ଟିଭି ବ୍ୟୁରୋ: ପ୍ରହସନ ପାଲଟିଛି କୋରାପୁଟ ଜିଲ୍ଲାରେ ଧାନ ମଣ୍ଡି । ଜିଲ୍ଲାରେ ଗତ ୧୧ ତାରିଖରେ ମଣ୍ଡି ଖୋଲି ଉଦଘାଟନ କରାଯାଇଥିଲା । ହେଲେ ଏହାରି ଭିତରେ ୧୦ ଦିନ ବିତିଯାଇଥିଲେ ସୁଦ୍ଧା ଆରମ୍ଭ ହୋଇପାରୁନି ଧାନ କିଣା । ଯୋଗାଣ ମନ୍ତ୍ରୀ କୋରାପୁଟ ଜିଲ୍ଲା ଗ୍ରସ୍ତ କରି ବିଭିନ୍ନ ମଣ୍ଡି ବୁଲି ଦେଖିବା ପରେ ମଣ୍ଡିରେ ଧାନ ବିକ୍ରି କରି ନପାରି ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ।
କୋରାପୁଟ ଜିଲ୍ଲାରେ ପ୍ରହସନ ପାଲଟିଛି ଧାନମଣ୍ଡି । ୧୦ ଦିନ ପରେ ବି ହୋଇପାରୁନି ଧାନକିଣା । ଧୁଆଁବାଣ ପାଲଟିଛି ଯୋଗାଣ ମନ୍ତ୍ରୀଙ୍କ ପ୍ରତିଶ୍ରୁତି । ଚାଷୀଙ୍କ ମହଲରେ ତେଜୁଛି ଅସନ୍ତୋଷ । କୋରାପୁଟ ଜିଲ୍ଲାରେ ଡିଏଲପିସି ବୈଠକରେ ଗତ ୧୧ ତାରିଖରେ ଧାନ ମଣ୍ଡି ଆରମ୍ଭ ହେବ ବୋଲି ନିଷ୍ପତି ହୋଇଥିଲା । ଆଉ ଗତ ୧୧ ତାରିଖରେ ମଣ୍ଡିର ଶୁଭାରମ୍ଭ ବି କରାଗଲା । କିନ୍ତୁ ଦୀର୍ଘ ୧୦ ଦିନ ବିତି ଯାଇଥିଲେ ସୁଦ୍ଧା ମଣ୍ଡିରେ ଧାନ ବିକ୍ରି କରିପାରୁ ନାହାନ୍ତି ଚାଷୀ । ଧାନ ବିକ୍ରି ପାଇଁ ଟୋକେନ ବାହାରିକି ଏକ ସପ୍ତାହ ହେଲାଣି । ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲା ଯାଇନଥିବାରୁ ଧାନ ବିକ୍ରି କରିପାରୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି । ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଲୟ ଘେରାଉ କରିଥିଲେ । ଏହାସତ୍ତ୍ବେବି କୌଣସି ସୁଫଳ ମିଳି ନଥିବା ଚାଷୀ ଅଭିଯୋଗ କରିଛନ୍ତି ।
ଧାନକିଣା ନେଇ ଯୋଗାଣ ବିଭାଗ ପକ୍ଷରୁ ମଧ୍ଯ ସ୍ପଷ୍ଟ ଉତ୍ତର ମିଳିପାରୁ ନାହିଁ । ଖୁବଶୀଘ୍ର ଧାନକିଣା ଆରମ୍ଭ ହେବ ବୋଲି କହି କଥାକୁ ଟାଳି ଦେଉଛନ୍ତି । ସେପଟେ ଗତ ୧୭ ତାରିଖରେ ଯୋଗାଣ ମନ୍ତ୍ରୀଙ୍କ କୋରାପୁଟ ଗ୍ରସ୍ତ ସମୟରେ ବିଭିନ୍ନ ମଣ୍ଡି ବୁଲି ସ୍ଥିତି ପରଖିଥିଲେ । ମନ୍ତ୍ରୀ ଶୁଭାରମ୍ଭ କରିଥିବା ମଣ୍ଡିରୁ ମାତ୍ର ୪ ଜଣ ଚାଷୀଙ୍କ ୩୫୫ କ୍ବିଣ୍ଟାଲ ଧାନ କିଣା ଯାଇଥିଲା । ଏହାପରେ ସବୁ ଠପ୍ । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଧୂଆଁବାଣ ପାଲଟିଥିବା ଚାଷୀ ଅଭିଯୋଗ କରିଛନ୍ତି ।
ଚଳିତବର୍ଷ ଜିଲ୍ଲାରେ ଧାନଚାଷ ଭଲ ହୋଇଥିବାରୁ ଦୁଇପଇସା ପାଇବା ଆଶା ରଖିଥିଲେ ଚାଷୀ । ହେଲେ ଲଘୁଚାପ ଜନିତ ଅଦିନିଆ ବର୍ଷା ଆରମ୍ଭ ହୋଇଯାଇଥିବାରୁ କିପରି ଫସଲକୁ ସୁରକ୍ଷା ଦେବେ ସେନେଇ ଚିନ୍ତାରେ ସମସ୍ତେ । ଯଦି ଧାନକିଣା ବିଳମ୍ବ ହୁଏ ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।