ମହଙ୍ଗା ହେଲାଣି ଚାଉଳ, ଦୁଇ ଗୁଣ ଅଧିକ ଦାମରେ କିଣୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ: ଅଟା ପରେ ଏବେ ଚାଉଳ ଉପରେ ମହଙ୍ଗା ମାଡ ପଡିଛି । ଦେଶରେ ଅଧିକାଂଶ ରାଜ୍ୟରେ ମହଙ୍ଗା ହୋଇଛି ଚାଉଳ । ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରେ ଚାଉଳ ଦାମ ୧୦ ପ୍ରତିଶତ ବଢିଛି । ଭାରତ ଗହମ ପରେ ଚାଉଳ ରପ୍ତାନୀରେ ରୋକ୍‌ ଲଗାଇବା ଆଶଙ୍କା କରିଛି ବାଂଲାଦେଶ । ଏଥିପାଇଁ ବାଂଲାଦେଶ ଚାଉଳର ଘରୋଇ ଷ୍ଟକ ବଢାଇବା ପାଇଁ ଭାରତରୁ ଆମଦାନୀ ଆରମ୍ଭ କରିଛି ।

ନିକଟରେ ବାଂଲାଦେଶ ଚାଉଳ ଉପରେ ଆମଦାନୀ ଶୁଳ୍କ ଛାଡ୍‌ କରିବା ପାଇଁ ନିଷ୍ପତ୍ତି ନେଇଛି । କିଛି ଦିନ ପୂର୍ବରୁ ଆମଦାନୀ ଶୁଳ୍କ ୬୨.୫ ପ୍ରତିଶତ ହଟାଇ ୨୫ ପ୍ରତିଶତ କରିଛି  ବାଂଲାଦେଶ ।  ଏହା ପୂର୍ବରୁ ଭାରତ ଗତମାସରେ ଗହମ ରପ୍ତାନୀରେ ଅଙ୍କୁଶ ଲଗାଇଥିଲେ  । ଏହାଦ୍ବାରା ଭାରତୀୟ ବଜାରରେ ଅଟା ଦାମରେ ପ୍ରଭାବ ପଡିଛି  । ସେପଟେ ବାଂଲାଦେଶର ଏହି ନିଷ୍ପତ୍ତି ପରେ ଚାଉଳ ଦାମ ବି ବୃଦ୍ଧି ପାଇଛି ।

ଖାସକରି ବାସୁମତି ଚାଉଳ ମହଙ୍ଗା ହୋଇଛି । ସବୁଠାରୁ ଲୋ କ୍ୱାଲିଟି ବାସୁମତି ଚାଉଳର ଦାମ ୧୫୦୯ ଟଙ୍କା ଥିବାବେଳେ ଏବେ ଏହା ବଢି ୩ ହଜାର ଟଙ୍କାରେ ପହଞ୍ଚିଛି ।

ଋଷ ୟୁକ୍ରେନ ଯୁଦ୍ଧ କାରଣରୁ ଅଧିକାଂଶ ଦେଶରେ ଖାଦ୍ୟଶସ୍ୟ ଅଭାବ ଦେଖାଦେଇଛି । ବାଂଲାଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସେପଟେ ବାଂଲାଦେଶରେ ବନ୍ୟା ଯୋଗୁଁ ଫସଲ ନଷ୍ଟ ହୋଇଛି । ଯେଉଁଥିପାଇଁ ବାଂଲାଦେଶ ଖୁବଶୀଘ୍ର ଭାରତ ଠୁ ଚାଉଳ ରପ୍ତାନୀ କରିବାକୁ ଚାହୁଁଛି ।