ଏଠି ବିଜେପି ସେଠି ବିଜେପି ତଥାପି ଅଙ୍କ ଛିଣ୍ଡୁନି, ପଡି ପଡି ପଚା ପଡିଗଲାଣି ଚାଉଳ

ନନ୍ଦିଘୋଷ ବ୍ୟୁରୋ : ପଡି ପଡି ପଚା ପଡିଗଲାଣି ଚାଉଳ । ହେଲେ କେନ୍ଦ୍ର ଶୁଣୁନି କି ଚାଉଳ ଉଠାଉନି । ଏନେଇ କେନ୍ଦ୍ରର ବୈମାତୃକ ମନୋଭାବର ପର୍ଦ୍ଦାଫାସ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗୃହରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବଳକା ଚାଉଳ ଓ କେନ୍ଦ୍ରଠାରୁ ବଳକା ଅର୍ଥ ପାଇବା ନେଇ ପ୍ରଶ୍ନ କରିଥିଲେ । ବିଜେଡି ସରକାର ଅମଳରେ ଯେଉଁ ବିଜେପି ଏ ନେଇ କେନ୍ଦ୍ର ସରକାରଙ୍କ ଓକିଲାତି କରୁଥିଲା, ସେ ଆଜି ସରକାରକୁ ଆସି କେନ୍ଦ୍ର ସରକାରଙ୍କ ଅସଲ ମୁଖା ଖୋଲିବାକୁ ବାଧ୍ୟ ହୋଇଛନ୍ତି । ଚାଉଳର ବକେୟା ୮ହଜାର କୋଟି ଟଙ୍କା ଦେବାକୁ କେନ୍ଦ୍ର ଅରାଜି ଥିବା ଗୃହରେ ସ୍ୱୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।
ଏଥି ସହ ବଳକା ଚାଉଳ ନେବାକୁ ବି କେନ୍ଦ୍ର ସରକାର ରାଜି ହେଉ ନାହାନ୍ତି ବୋଲି ସ୍ବୀକାର କରିଛନ୍ତି । ଖରିଫ ପୂର୍ବରୁ ବଳକା ଚାଉଳକୁ ନେଇ ଏପରି ଉତ୍ତର ଆସିବା ପରେ ଗୃହରେ ଉଦବେଗ ପ୍ରକାଶ ପାଇଥିଲା । ଏ ପର୍ଯ୍ୟନ୍ତ ରାଜ୍ୟରେ ୧୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଳକା ଅଛି । ଏହି ଚାଉଳ କେନ୍ଦ୍ର ସରକାରଙ୍କୁ ନେବା ପାଇଁ ବାରମ୍ବାର ଅନୁରୋଧ କରାଯାଇଛି। ଯଦି ସରକାର ଚାଉଳ ନ ଉଠାନ୍ତି, ତେବେ ଏହାକୁ ନିଲାମ କରିବାକୁ ଯୋଜନା କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ । ରାଜ୍ୟରେ ମୋଟ ୬୩ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହୋଇଥିଲା। ଯେଉଁଥିରୁ ୫୦ ଲକ୍ଷ ମେଟ୍ରିକ୍ ଟନ୍ ବ୍ୟବହାର ହୋଇଛି । ୮ ବର୍ଷରେ କେନ୍ଦ୍ର ସରକାରଙ୍କ ଉପରେ ୮ ହଜାର କୋଟି ଟଙ୍କା ବାକି ରହିଛି।
ଓଡ଼ିଶାରେ ବିଜେପି ସରକାର ଆସିବା ପରେ ବି କେନ୍ଦ୍ରର ରାଜ୍ୟ ପ୍ରତି ଅବହେଳା ଜାରି ରହିଛି । ଯାହାକୁ ନେଇ ସରକାରଙ୍କୁ ଉଭୟ ବିଜେଡି ଓ କଂଗ୍ରେସ ଘେରିଛନ୍ତି । ବିରୋଧୀରେ ଥିବା ସମୟରେ ବିଜେଡି ସରକାର ଓ ମିଲରଙ୍କ ମଧୁଚନ୍ଦ୍ରିକା ନେଇ ବର୍ତ୍ତମାନର ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଳିଙ୍ଗ ଅଭିଯୋଗ ଆଣୁଥୁଲେ । ହେଲେ ଏବେ ସବୁ ଧାନ, ମିଲରଙ୍କ ପାଖରେ କେମିତି ପଡି ରହିଛି ବୋଲି କଟାକ୍ଷ କରିଛି ବିଜେଡି । ସେହିପରି କଂଗ୍ରେସ ପ୍ରଶ୍ନ କରିଛି ଯେ ଧାନ ଓ ଅର୍ଥ ପଡିରହିବା ନେଇ ସ୍ୱୀକାର କରିବା ପରେ ସମାଧାନର କି ବାଟ ରଖିଛନ୍ତି ସରକାର ?