ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଚାଉଳ ଓ ଗୁଆ, ଅର୍ପଣ ରଥ ମାଧ୍ୟମରେ ସଂଗୃହୀତ କରାଯାଇଥିଲା

ପୁରୀ: ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଶ୍ରଦ୍ଧାଳୁଙ୍କ ଭକ୍ତି ଅର୍ଘ୍ୟ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ୧୭ ତାରିଖରେ ହୋଇଥିବା ବେଳେ ପ୍ରକଳ୍ପକୁ ନେଇ ସମଗ୍ର ରାଜ୍ୟରେ ଅର୍ପଣ ରଥ ବୁଲିଥିଲା। ଅର୍ପଣ ରଥ ମାଧ୍ୟମରେ ସଂଗୃହୀତ ଚାଉଳ, ଗୁଆ, ଶ୍ରୀଫଳ ଓ ଟଙ୍କା ଆଦିକୁ ଆଜି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି। ସଂଗୃହୀତ ଟଙ୍କାକୁ ସ୍ୱତନ୍ତ୍ର ଡୋନେସନ ସେଲ ମାଧ୍ୟମରେ ସଂଗ୍ରହ କରାଯାଇଥିବା ବେଳେ ଆଜି ଚାଉଳ ଓ ଅନ୍ୟାନ୍ୟ ଭକ୍ତି ଅର୍ଘ୍ୟକୁ ମଧ୍ୟ ସଂଗ୍ରହ କରାଯାଇଛି। ଦେବଗଡ଼ ଓ ଜଗତସିଂହପୁର ଜିଲ୍ଲାରୁ ଆସିଥିବା ଚାଉଳକୁ ଗୁଣ୍ଡିଚା ମନ୍ଦିର ଠାରେ ରଖାଯାଇଥିବା ବେଳେ ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାରୁ ମଧ୍ୟ ଚାଉଳ ଏଠାରେ ପହଞ୍ଚିବ।

ସେହିପରି ଆସନ୍ତାକାଲି ଠାରୁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିବ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ଓ ପରିକ୍ରମା ପ୍ରକଳ୍ପର ପ୍ରଦକ୍ଷିଣ ପାଇଁ ଆସିବେ। ପ୍ରତିଦିନ ୧୦ ହଜାରରୁ ଅଧିକ ଭକ୍ତଙ୍କ ସୁବିଧାରେ ଦର୍ଶନ ଓ ଖାଇବା ପିଇବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ପରିବହନର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବା ନେଇ ଅଧିକାରୀ ମାନଙ୍କୁ ନିୟୋଜିତ କରାଯାଇଛି।