କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଆଜି ଘୋଷଣା ହେବ ଦଣ୍ଡ

1 min read

କୋଲକତା: ମିଳିବ ଆଜୀବନ କାରାଦଣ୍ଡ ନା ମୃତ୍ୟୁଦଣ୍ଡ। ବହୁଚର୍ଚ୍ଚିତ କୋଲକାତା ଆରଜି କର ମେଡିକାଲ କଲେଜ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଘୋଷଣା ହେବ ଦଣ୍ଡ। ଦୋଷୀ ସାବ୍ୟସ୍ତ ସଞ୍ଜୟ ରାୟ ବିରୋଧରେ ଦଣ୍ଡ ଘୋଷଣା କରିବେ ପଶ୍ଚିମବଙ୍ଗ କୋଲକାତା ସ୍ଥିତ ସିଆଲଦା ସେସନ୍ସ କୋର୍ଟ। ୩୧ ବର୍ଷ ବୟସ୍କା  ଡାକ୍ତରଙ୍କ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଥିଲା ହଇଚଇ। ଗତବର୍ଷ ଅଗଷ୍ଟ ୯ରେ ଘଟିଥିବା ଘଟଣାରେ କୋଲକାତା ପୋଲିସର ସିଭିକ ଭଲ୍ଯୁଣ୍ଟିୟର ଥିବା ସଞ୍ଜୟ ରାୟକୁ ଗିରଫ କରିଥିଲା । ୫୭ଦିନର ଶୁଣାଣି ପରେ ମାମଲାର ରାୟ ପ୍ରକାଶ କରିଥିଲେ କୋର୍ଟ।

ବିଚାରପତି କହିଥିଲେ- ସମସ୍ତ ପ୍ରମାଣ ଓ ସାକ୍ଷୀଙ୍କ ବୟାନ ଆଧାରରେ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସଞ୍ଜୟ ବିରୋଧରେ ଲାଗିଛି ଧାରା ୬୪ ଅର୍ଥାତ ଦୁଷ୍କର୍ମ, ଧାରା ୬୬ ଅର୍ଥାତ ମୃତ୍ୟୁ ଲାଗି ଦଣ୍ଡ, ଧାରା ୧୦୩ ଅର୍ଥାତ ହତ୍ୟା । ଧାରା ୬୪ ଅନୁସାରେ ସର୍ବାଧିକ ଆଜୀବନ ଦଣ୍ଡାଦେଶ ବ୍ୟବସ୍ଥା ଥିବାବେଳେ ଧାରା ୬୬ରେ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଛି। ସେପଟେ ଶୁଣାଣି ବେଳେ ସେ ନିର୍ଦ୍ଦୋଷ ଦର୍ଶାଇବା ସହ ଏହି ଅପରାଧ ଘଟାଇ ନାହିଁ ବୋଲି କହିଥିଲା ସଞ୍ଜୟ ।

ଗତ ବର୍ଷ ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ସେମିନାର ହଲରେ ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । ପରେ ହସପିଟାଲ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟ , ତରବରିଆ ପ୍ରମାଣ ନଷ୍ଟ କରିବାର ଅଭିଯୋଗ ଆସିଥିଲା । ଘଟଣାକୁ ନେଇ ମେଡିକାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ଦେଖିବାକୁ ମିଳିଥିଲା । ଦୀର୍ଘ ଦିନ ପର୍ଯ୍ୟନ୍ତ ନ୍ୟାୟ ଦାବିରେ ଧାରଣା ଦେଇଥିଲେ ସାଥି ଡକ୍ଟର। ସମର୍ଥନରେ ଦେଶ ତମାମରୁ ଡାକ୍ତର ସଂଘ ପକ୍ଷରୁ ପ୍ରତିବାଦ କରାଯାଇଥିଲା । ମେଡିକାଲ କ୍ୟାମ୍ପସରେ ରାତି ଡ୍ୟୁଟିରେ ସୁରକ୍ଷା କଥା ଉଠିଥିଲା । ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବିଜେପି ଓ ବାମଦଳ ପଶ୍ଚିମବଙ୍ଗରେ ମୁଖର ହୋଇ ମମତା ବାନାର୍ଜୀଙ୍କୁ କଡ଼ା ନିନ୍ଦା କରିଥିଲେ । ଦେଶ ତମାମରେ ରାଜନୀତି ତୀବ୍ର ହୋଇଥିଲା । ଶେଷରେ ଆଜି ନିମ୍ନ ଅଦାଲତରୁ ପ୍ରତିକ୍ଷୀତ ରାୟ ଆସିଛି କିନ୍ତୁ ପରିବାର ଅସଲ ନ୍ୟାୟ ଅପେକ୍ଷାରେ ଅଛି ।

ନଜର ପକାନ୍ତୁ