ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂଆ ଗଭର୍ଣ୍ଣର ସଂଜୟ ମାଲହୋତ୍ରା
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆରବିଆଇର ନୂଆ ଗଭର୍ଣ୍ଣର ଭାବେ ସଂଜୟ ମାଲହୋତ୍ରାଙ୍କୁ ନିଯୁକ୍ତି ଦିଆଯାଇଛି । ୧୯୯୦ ବ୍ୟାଚର ଆଇଏଏସ୍ ହେଉଛନ୍ତି ସଂଜୟ । କେନ୍ଦ୍ର କ୍ୟାବିନେଟ୍ ସଂଜୟଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ବର୍ତ୍ତମାନ ସେ ରାଜଶ୍ୱ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ଆଗାମୀ ତିନି ବର୍ଷ ପାଇଁ ଆରବିଆଇର ଗଭର୍ଣ୍ଣର ଭାବେ ସେ କାମ କରିବେ ।
ଡିସେମ୍ବର ୧୦ ତାରିଖରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହାପରେ ସଂଜୟ ମାଲହୋତ୍ରା ଦେଶର ୨୬ତମ ଗଭର୍ଣ୍ଣର ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ନଭେମ୍ବର ୨୦୨୦ରେ ସଂଜୟ ଆରଇସିର ଚେୟାରମ୍ୟାନ ଏବଂ ଏମଡି ହୋଇଥିଲେ । ଏହାପୂର୍ବରୁ ସେ ଶକ୍ତି ବିଭାଗର ଅତିରିକ୍ତ ସଚିବ ଭାବେ କାମ କରିଥିଲେ ।
ସଂଜୟ ନିଜ ଇଂଜିନିୟରିଂ ଡିଗ୍ରୀ ଆଇଆଇଟି କାନପୁରରୁ ହାସଲ କରିଥିଲେ । ପ୍ରିନ୍ସଟୋନ ୟୁନିର୍ଭସିଟିରୁ ମାଷ୍ଟର ଡିଗ୍ରୀ ପାଇଥିଲେ । ଗତ ୩୦ ବର୍ଷ ମଧ୍ୟରେ ସେ ଶକ୍ତି, ଫାଇନାନ୍ସ, ଟ୍ୟାକ୍ସନ, ଆଇଟି ଓ ମାଇନ୍ସ ଭଳି ବିଭାଗରେ ନିଜ ସେବା ଦେଇଛନ୍ତି ।