ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ପ୍ରଦେଶ ମୁଖ୍ୟ ରେବନ୍ତ ରେଡ୍ଡୀ
ହାଇଦ୍ରାବାଦ: ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ପ୍ରଦେଶ ମୁଖ୍ୟ ରେବନ୍ତ ରେଡ୍ଡୀ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ରେବନ୍ତଙ୍କ ନାଁରେ ମୋହର ମାରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି, ଏଆଇସିସି ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଏବଂ କଂଗ୍ରେସ ଜାତୀୟ ମହାସଚିବ କେ.ସି ଭେନୁଗୋପାଳଙ୍କ ସହ ଅନ୍ୟ ନେତାଙ୍କ ବୈଠକରେ ରେବନ୍ତଙ୍କ ନାଁରେ ବାଜିଛି ମୋହର । ହାଇଦ୍ରାବାଦରେ କଂଗ୍ରେସ ବିଧାୟକ ଦଳ ବୈଠକରେ ଆଲୋଚନା ପରେ ବିଧିବଦ୍ଧ ଭାବେ ରେବନ୍ତଙ୍କ ନାଁ ଘୋଷଣା କରାଯିବ । ଆସନ୍ତା ୭ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ନେବେ ।
ରାଜ୍ୟରେ କଂଗ୍ରେସର ବିପୁଳ ନିର୍ବାଚନ ପରେ ସମସ୍ତ କ୍ରେଡିଟ ରେବନ୍ତଙ୍କୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ରେସରେ ସେ ସବୁଠୁ ଆଗରେ ଥିଲେ। ରେବନ୍ତ ରେଡି ତେଲେଙ୍ଗାନା ରାଜନୀତିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୨୦୧୭ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୨୧ରେ ତେଲଙ୍ଗାନା ପିସିସି ଭାବେ ଦାୟିତ୍ବ ନେଇଥିଲେ । ଏହା ପୁର୍ବରୁ ସେ ତେଲୁଗୁ ଦେଶମ ପାର୍ଟିରେ ଥିଲେ । ଦୁଇ ଦୁଇ ଧର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି୍ ରେବନ୍ତ । ନିଜର ଜବରଦସ୍ତ ପ୍ରଚାର ଲାଗି ସେ କଂଗ୍ରେସ ରାଜନୀତିରେ ବେଶ ପରିଚିତ । ସେହିପରି ରାଜସ୍ଥାନରେ ବିଜେପିର ମୁଖ୍ୟମନ୍ତ୍ରୀ ପଦ ପାଇଁ ରେସର ସବା ଆଗରେ ଅଛନ୍ତି ରାଜକୁମାରୀ ଦୀୟା କୁମାରୀ । ଏହା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ରହିଛନ୍ତି । ଉଭୟ ବସୁନ୍ଧରା ଓ ଦୀୟା ରାଜ ପରିବାରରୁ ଆସିଛନ୍ତି ।
୭୧ ହଜାରରୁ ଅଧିକ ବମ୍ପର ଭୋଟରେ ଦିୟା କୁମାରୀ ନିଜ ନିକଟତମ ପ୍ରତିନ୍ଦନ୍ଦୀଙ୍କୁ ପରାସ୍ତ କରିଛନ୍ତି । ଜୟପୁର ରାଜ ପରିବାର ସଦସ୍ୟ ଦୀୟା କୁମାରୀ । ରାଜା ମାନ ସିଂ ଦ୍ବିତୀୟଙ୍କର ନାତୁଣୀ ହେଉଛନ୍ତି ଦୀୟା । ଜୟପୁରର ରାଜତନ୍ତ୍ରର ଶେଷ ସମ୍ରାଟ ଥିଲେ ରାଜା ମାନ ସିଂହ ଦ୍ବିତୀୟ । ତେବେ ବିଜେପିର ସଂସଦୀୟ ଟିମ୍ ମୁଖ୍ୟମନ୍ତ୍ରୀ କିଏ ହେବ ତା ଉପରେ ମୋହର ମାରିବେ । ତେବେ ଛତିଶଗଡ଼ରେ ମଧ୍ୟ ଏଥର ନୂଆ ଚେହେରା ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି । ମଧ୍ୟପ୍ରଦେଶରେ ମଧ୍ୟ ଶିବରାଜ ସିଂହ ବିଜେପିର ପ୍ରଥମ ପସନ୍ଦ ନୁହେଁ ବୋଲି ଚର୍ଚ୍ଚା ହେଉଛି । କୈଳାଶ ବିଜୟ ବର୍ଗିୟ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।