୬୪ଟି ବିମାନ ୩ଟି ପାଣି ଜାହାଜରେ ବିଦେଶରୁ ଫେରିବେ ଭାରତୀୟ

1 min read

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ ବେଳେ ଭାରତର ବଡ ମିଶନ୍‌ । କରୋନା କଟକଣା ଯୋଗୁ ବିଦେଶରେ ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି କେନ୍ଦ୍ରସରକାର । ସମସ୍ତ ପ୍ରବାସୀଙ୍କୁ ଫେରାଇ ଆଣିବାକୁ ଜଳ ପଥ ଏବଂ ଆକାଶ ପଥରେ ବ୍ୟବସ୍ଥା କରିଛନ୍ତି ସରକାର ।  ଗତ କିଛିଦିନ ତଳେ ପ୍ରାୟ ଏକ ଲକ୍ଷରୁ ଅଧିକ ପ୍ରବାସୀ ଭାରତ ଫେରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ନିବଦେନ କରିଥିଲେ । ଏହି ନିବେଦନକୁ ରକ୍ଷା କରି ସରକାର ୧୩ ଦେଶରେ ଫସିରହିଥିବା ପ୍ରବାସୀଙ୍କୁ ଆଣିବା ପାଇଁ ୬୪ ବିମାନ ଓ ୩ଟି ପାଣି ଜାହାଜର ବ୍ୟବସ୍ଥା କରିଛନ୍ତି ।

ଆସନ୍ତାକାଲିଠାରୁ ସପ୍ତାହକ ପର୍ଯ୍ୟନ୍ତ ସେବା ଉପଲବ୍ଧ କରାଯିବ । ହେଲେ ସମସ୍ତ ଫେରନ୍ତାଙ୍କ ପାଇଁ କେନ୍ଦ୍ର ସରକାର କିଛି ସର୍ବନିମ୍ନ ଦର ନିର୍ଦ୍ଦ।ରଣ କରିଛନ୍ତି । ୟୁରୋପରୁ ଫେରିବାକୁ ହେଲେ ୫୦ ହଜାର ଓ ଆମେରିକାରୁ ଫେରିବାକୁ ହେଲେ ୧ ଲକ୍ଷ ଟଙ୍କାର ଦର ସ୍ଥିର କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ । ଲଣ୍ଡନରୁ ମୁମ୍ବାଇ କିମ୍ବା ଅହମ୍ମଦାବାଦ୍‌, ବେଙ୍ଗାଲୁରୁ, ଦିଲ୍ଲୀ ଆସିବାକୁ ହେଲେ ୫୦ ହଜାର ଟଙ୍କା ଦେବାକୁ ପଡିବ । ସେହଭିଳି ଚିକାଗୋରୁ ହାଇଦ୍ରାବାଦ୍‌ କିମ୍ବା ଦିଲ୍ଲୀ ପାଇଁ ପ୍ରବାସୀଙ୍କୁ ଏକ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ।

ପ୍ରଥମ ପର୍ଯ୍ୟାୟରେ ଆମେରିକା, କୁଏତ୍‌ , ଫିଲିଫାଇନ୍ସ, ବାଙ୍ଗଲାଦେଶ, ବ୍ରିଟେନ୍‌, ସାଉଦିଆରବ, ମାଲେସିଆ, ୟୁଏଇକୁ ପଠାଯିବ ବିମାନ୍‌ । ପ୍ରତି ବିମାନରେ ସାମାଜିକ ଦୂରତାକୁ ଗରୁତ୍ୱ ଦିଆଯାଇ ଦୁଇ ଶହରୁ ୩ ଶହ ଲୋକଙ୍କୁ ଆଣିବାକୁ ଅନୁମତି ଦିଆଯାଇଛି । ପ୍ରାଥମିକ ଭାବେ ଚିନ୍ତାଗ୍ରସ୍ତ ଲୋକ, ଗର୍ଭବତୀ, ବୃଦ୍ଧ-ବୃଦ୍ଧା ଓ ଶ୍ରମିକଙ୍କୁ ଗୁରୁତ୍ୱ ଦିଆଯିବ । ସମସ୍ତ ଫେରନ୍ତା ଭାରତକୁ ଆସିବା ପରେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ଏସ୍‌ଓପି ଜାରି କରାଯାଇଛି ।

ଯେଉଁମାନେ ଆସିବେ ସେମାନେ ସମସ୍ତେ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ଅପିଲ୍‌ କରାଯାଇଛି । ସେପଟେ ଭାରତରେ ଫସିରହିଥିବା ଅନ୍ୟ ଦେଶର ନାଗରିକଙ୍କୁ ବି ନିଜ ନିଜ ଦେଶକୁ ପଠାଯିବ । ସମସ୍ତ ବିଦେଶୀ ନାଗରିକଙ୍କ ପାଇଁ ସର୍ବନିମ୍ନ ଦର ସ୍ଥିର କରାଯାଇଛି ।

Leave a Reply