ବିଜୟ ଉତ୍ସବ: ୭୧ ଯୁଦ୍ଧର ବିଭୀଷିକା ମନେ ପଡ଼ିଲେ ଶିହରି ଉଠେ କୈଳାସଙ୍କ ଦେହ

କଟକ: ୧୯୭୧ ଡିସେମ୍ବର ୧୬ ତାରିଖ । ପାକିସ୍ତାନୀ ସୈନ୍ୟଙ୍କୁ ନିପାତ କରି ବିଜୟ ଉତ୍ସବ ପାଳନ କରିଥିଲେ ଭାରତୀୟ ସେନା । ଭାରତୀୟ ସେନା ଆଗରେ ଆତ୍ମସମର୍ପଣ କରିଥିଲା ପାକିସ୍ତାନ । ପୂର୍ବ ପାକିସ୍ତାନ ସ୍ବାଧୀନ ହୋଇ ଜନ୍ମ ନେଲା ବାଂଲାଦେଶ । ହେଲେ ଆଜି ବି ମନକୁ ଆନ୍ଦୋଳିତ କରି ଦେଉଛି ପାକିସ୍ତାନ ସେନା ସହ ଲଢ଼େଇ କରିଥିବା ସେହି ବୀର ଭାରତୀୟ ଯବାନଙ୍କ ମନକୁ । ଏମିତି ଜଣେ ବୀର ହେଲେ କଟକର ଅବସରପ୍ରାପ୍ତ ସୁବେଦାର କୈଳାସ ଚନ୍ଦ୍ର ବିଶ୍ୱାଳ । କୁହନ୍ତି, ସେହି ଯୁଦ୍ଧର ଘମାଘୋଟ ଓ ବିଭୀଷିକା କଥା ମନେ ପଡିଗଲେ ଶିହରି ଉଠୁଛି ଦେହ ।

୧୯୭୧ ଡିସେମ୍ବର । ପାକିସ୍ତାନର ବର୍ବରତାକୁ ଦମନ କରିବାକୁ ଭାରତ ନେଲା କଡ଼ା ପଦକ୍ଷେପ । ଅତ୍ୟାଚାରୀ ଶାସନରୁ ବାଂଲାଦେଶକୁ ମୁକ୍ତ କରିବାକୁ ଭାରତୀୟ ସେନା ଆରମ୍ଭ କଲା ଅଭିଯାନ । ବାଂଲାଦେଶ ମୁକ୍ତିବାହିନୀକୁ ସାହାଯ୍ୟ କରିବାକୁ ଯୁଦ୍ଧ ଘୋଷଣା କଲେ ଭାରତ ସରକାର । ଭାରତୀୟ ସେନାର ସୌର୍ଯ୍ୟ ଆଗରେ ହାର ମାନିଲା ପାକିସ୍ତାନ । ଆଜିର ଦିନରେ ପରାଜିତ ହୋଇ ଆତ୍ମସମର୍ପଣ କରିଥିଲା ପାକିସ୍ତାନ । ପୂର୍ବ ପାକିସ୍ତାନ ସ୍ବାଧୀନ ହୋଇ ଜନ୍ମ ନେଲା ବାଂଲାଦେଶ । ଏହାରି ମଧ୍ୟରେ ବିହାର ରେଜିମେଣ୍ଟ ସିକ୍ସ ବାଟେଲିୟନରେ ଯୋଗ ଦେଇଥିଲେ ସୁବେଦାର କୈଳାସ ଚନ୍ଦ୍ର ବିଶ୍ବାଳ । ଯୁଦ୍ଧରେ ସାମିଲ ହୋଇ ପାକିସ୍ତାନର ଅନେକ ଯୁଦ୍ଧ ଗାଡ଼ି ନଷ୍ଟ କରିଛନ୍ତି । ଆଜି ସାରା ଦେଶ ବିଜୟ ଉତ୍ସବ ପାଳୁଥିବାବେଳେ ସେଦିନର କଥା ମନେ ପକାଇଛନ୍ତି ବୀର କୈଳାସ ।

ଅବସରପ୍ରାପ୍ତ ସୁବେଦାର କୈଳାସ ଚନ୍ଦ୍ର ବିଶ୍ୱାଳଙ୍କ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ସୋଗଲ ଗାଁରେ । ବର୍ତ୍ତମାନ ସେ କଟକ ଚାଉଳିଆଗଞ୍ଜ ଡିଭାଇନ୍ ନଗରରେ ୨ ପୁଅ ସ୍ତ୍ରୀ ନାତିଙ୍କ ସହ ରହୁଛନ୍ତି । ତଥାପି ବୟସର ଅପରାହ୍ନରେ ଅତୀତର ଯୁଦ୍ଧର ଘଟଣା ମନେ ପଡିଗଲେ ସେହି ସୌର୍ଯ୍ୟର ଘଟଣାକ୍ରମ ତାଙ୍କ ଆଖି ଆଗରେ ଝଲସି ଉଠେ । ବାପାଙ୍କ ମୁହଁରୁ ସେହି ବୀରତ୍ବର କଥା ଶୁଣି ପରିବାର ବି ନିଜକୁ ବେଶ ଗର୍ବ ଅନୁଭବ କରନ୍ତି ।