ଯବାନ ପୁଅକୁ ଗ୍ରାମବାସୀଙ୍କ ଅଦ୍ଭୁତ ସ୍ବାଗତ, ସେନା କର୍ମଚାରୀଙ୍କ ମଥାରେ ଲଗାଇଲେ ରକ୍ତର ଟିକା

1 min read

ଭୋପାଳ: ଅଦ୍ଭୁତ ସେ ସ୍ୱାଗତ, ଅପୂର୍ବ ସେ ପ୍ରେମ । ସଭିଙ୍କ ମୁହଁରେ ଆନନ୍ଦର ହସ । ଗାଁ ପୁଅର ଗଳାରେ ଗ୍ରାମବାସୀଙ୍କ ମାଳା । ନା ଥିଲା କୌଣସି ରାଜନେତାଙ୍କ ଆଗମନ । ନା କୌଣସି ସମ୍ଭ୍ରାନ୍ତ ଶିଳ୍ପର ମାଲିକ । ବଂର ଏ ଆଗମନ ଥିଲା ଦେଶ ମାତୃକାର ସେବା କରିବାର ପଣ କରିଥିବା ଜଣେ ଯୋଦ୍ଧା ଯବାନର । ମଧ୍ୟପ୍ରଦେଶର ନିମଚ ଜିଲ୍ଲାରେ ଦେଖିବାକୁ ମିଳିଛି ନିଆରା ସ୍ୱାଗତ । ସେନାରେ ନିଜର କାର୍ଯ୍ୟକାଳ ସରିବା ପରେ ଗ୍ରାମକୁ ଫେରୁଥିବା ଜଣେ ପୂର୍ବତନ ଯବାନଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଦିଆଯାଇଥିବା ସ୍ୱାଗତ ଏବେ ସବୁଠି ଚର୍ଚ୍ଚା ପାଲଟିଛି । ସେପଟେ ଗ୍ରାମବାସୀଙ୍କ ଅପୂର୍ବ ସମ୍ବର୍ଦ୍ଧନାରେ ନିଜର କୋହ ସମ୍ବରଣ କରିପାରିନାହାଁନ୍ତି ପୂର୍ବତନ ସେନା କର୍ମଚାରୀ ବିଜୟ ବାହାଦୂର ସିଂ ।

ସୂଚନା ମୁତାବକ ନିମଚ ଜିଲ୍ଲାର ଜିରନ ଗ୍ରାମରେ ପ୍ରାୟ ୬୦ ଲୋକ ସେନାରେ କାର୍ଯ୍ୟରତ । ଦେଶ ମାତୃକାର ସେବା ପାଇଁ ସର୍ବଦା ପ୍ରତିବଦ୍ଧ ଏହି ଗ୍ରାମର ଯୁବକ । ୧୭ ବର୍ଷ ଧରି ଭାରତୀୟ ସେନାରେ କାର୍ଯ୍ୟକରୁଥିଲେ ଏହି ଗ୍ରାମର ବିଜୟ ବାହାଦୂର । ସେନାରେ ନିଜର କାର୍ଯ୍ୟକାଳ ସରିବା ପରେ ଗ୍ରାମକୁ ଫେରିଥିଲେ ବିଜୟ । ଆଉ ଗାଁ ମୁଣ୍ଡରେ ପାଦ ରଖିବା କ୍ଷଣି ଗ୍ରାମବାସୀଙ୍କ ଅପୂର୍ବ ସ୍ବାଗତ ଦେଖି ଭାବୁକ ହୋଇପଡିଥିଲେ ବିଜୟ ବାହାଦୂର । ଢୋଲ-ବାଜାର ଆସର ସାଙ୍ଗକୁ ବିରାଟ ପଟୁଆର । ପୁଣି ବିରାଟ ବାଇକ ଶୋଭାଯାତ୍ରା ।

ବିଜୟ ବାହାଦୂରଙ୍କୁ ଗ୍ରାମବାସୀ ପଟୁଆରରେ ପ୍ରଥମେ ପ୍ରାଚୀନ ମନ୍ଦିର ଦର୍ଶନ କରିବାକୁ ପାଛୋଟି ନେଇଥିଲେ । କିନ୍ତୁ ମନ୍ଦିର ପରିସରରେ ସେନା କର୍ମଚାରୀଙ୍କୁ ଯେଉଁଭଳି ସ୍ବାଗତ କରାଯାଇଥିଲା ତାହା ଥିଲା ଭରତରେ ବିରଳ । ଶ୍ରଦ୍ଧା, ଆତ୍ମୀହତା ଏବଂ ଦେଶ ପାଇଁ ଗ୍ରାମବାସୀଙ୍କ ଥିବା ଗୌରବମୟ ଅତୀତ ହିଁ ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଥିଲା । ଗ୍ରାମର ଲୋକେ ହାତକୁ ତଳେ ରଖିଥିଲେ ଏବଂ ଯବାନ ଜଣଙ୍କୁ ତାଙ୍କ ହାତ ଉପରେ ଚାଲି ମନ୍ଦିର ଯାଇଥିଲେ । ସେହିପରି ଗ୍ରାମର ଯୁବକ ନିଜ ଗାଁ ପୁଅର ପରାକ୍ରମ ଶାହାସ ଏବଂ ଶତ୍ରୁକୁ ମାତ ଦେବାର ଶକ୍ତିକୁ ସମ୍ମାନ ଜଣାଇ ନିଜ ହାତରୁ ରକ୍ତ କାଢି ଯବାନ ପୁଅର ମୁଣ୍ଡରେ ଟିକା ଆକାରରେ ଲଗାଇଥିଲେ ।

ଗ୍ରାମବାସୀଙ୍କ ଏପରି ସ୍ବାଗତ ଏବଂ ସମ୍ମାନ ତାଙ୍କୁ ଅକୁଣ୍ଠ ଆନନ୍ଦ ଦେବା ସହ ମା-ମାଟିର ସେବା ପାଇଁ ଉତ୍ସାହିତ କରିଥିବା କହିଛନ୍ତି ପୂର୍ବତନ ସେନା କର୍ମଚାରୀ ବିଜୟ ବାହାଦୂର । ସେ କହିଛନ୍ତି ଲେହ, ଲଦାଖ, ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ଦାୟିତ୍ୱ ସମ୍ମାପନ କରିଛି । ଶତ୍ରୁ ରାଷ୍ଟ୍ରକୁ ମାତ ଦେବା ପାଇଁ ଦିନରାତି ଏକ କରି ପ୍ରହରୀ ସାଜିଛୁ । କିନ୍ତୁ ସେନା ପ୍ରତି ମୋ ଗ୍ରାମବାସୀଙ୍କ ଏଭଳି ଭଲପାଇବା ମୁଁ କେବେ କେଉଁଠି ଦେଖିନାହିଁ ବୋଲି କହିଛନ୍ତି ବିଜୟ ବାହାଦୂର । ସେହିପରି ପୁଅର ଯଶ ଏବଂ ସମ୍ମାନରେ ବେଶ ଗର୍ବିତ ହୋଇଥିବା କହିଛନ୍ତି ବିଜୟ ବାହାଦୁରଙ୍କ ବାପା ।

Leave a Reply