ବାଲେଶ୍ୱର ଜିଲ୍ଲା ସୋରରେ ଚାଞ୍ଚଲ୍ୟ, ବିଲ ମଝିରୁ ମିଳିଲା ଅବସରପ୍ରାପ୍ତ ଶିକ୍ଷକଙ୍କ କ୍ଷତାକ୍ତ ମୃତଦେହ

ବାଲେଶ୍ୱର: ଲୁଟ୍ ଉଦ୍ଦେଶ୍ୟରେ ମର୍ଡର । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବାଲିଖଣ୍ଡ ଗାଁରେ ନିର୍ମମ ହତ୍ୟାକାଣ୍ଡ । ବିଲ ମଝିରୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି । ବାଲିଖଣ୍ଡ ଗାଁର ଆନନ୍ଦ ଚନ୍ଦ୍ର ପତ୍ରି ପ୍ରାଣକୃଷ୍ଣ ସଂସ୍କୃତ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଥିଲେ । ଗତକାଲି ବିଳମ୍ବିତ ରାତିରେ ଲୁଟ୍ ଉଦ୍ଦେଶ୍ୟରେ କେହି ଦୁର୍ବୃତ୍ତ ଘରେ ପଶି ଆନନ୍ଦ ପତ୍ରି ଏବଂ ତାଙ୍କ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଘରର ମୂଲ୍ୟବାନ ଜିନିଷ ନେଇଯାଉଥିବା ବେଳେ ଆନନ୍ଦ ପ୍ରତିବାଦ କରିଥିବାରୁ ତାଙ୍କ ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାଫଳରେ ଘରଠାରୁ ୫ ଶହ ମିଟର ଏକ ବିଲରୁ କ୍ଷତାକ୍ତ ଅବସ୍ଥାରେ ଆନନ୍ଦଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ଆନନ୍ଦଙ୍କର ଘରର ସମସ୍ତ କାଗଜ ପତ୍ର, ମୋବାଇଲ, ପ୍ୟାଣ୍ଟ ସାର୍ଟ ବିଭିନ୍ନ ସ୍ଥାନରେ ପଡ଼ିଥିବା ଦେଖିବାକୁ ମିଳିଛି । ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଦୁର୍ବୃତ୍ତ ଅତି ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।