ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ଜିଲ୍ଲାରେ ହୋଇପାରିବ ପେନସନ୍ ଆବେଦନ

ଭୁବନେଶ୍ୱର: ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଖୁସି ଖବର । ଅବସର ଗ୍ରହଣ ପରେ ଦୀର୍ଘ ଦିନଧରି ପେନସନ୍ ପାଇନଥିବା କର୍ମଚାରୀମାନେ ଏଣିକି ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ପେନସନ୍ ପାଇଁ ଆବେଦନ କରିପାରିବେ । ଏନେଇ ସମସ୍ତ ସହଯୋଗ କରିବାକୁ ବିଭିନ୍ନ ବିଭାଗର ନିର୍ଦ୍ଦେଶକଙ୍କ ମାଧ୍ୟମରେ ସଂପୃକ୍ତ ଜିଲ୍ଲାସ୍ତରୀୟ ମୁଖ୍ୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଖୁବଶୀଘ୍ର ପେନସନ୍ ଅଦାଲତ ଅନୁଷ୍ଠିତ ହେବ । ଏନେଇ ତାରିଖ ଓ ସ୍ଥାନ ଘୋଷଣା କରାଯିବ ।

ଏହା ପୂର୍ବରୁ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟାଳୟରୁ ଅବସର ଗ୍ରହଣ କରି ପେନସନ୍ ପାଇନଥିବା କର୍ମଚାରୀଙ୍କୁ ଯୋଗାଯୋଗ କରି ସମସ୍ତ ଆବଶ୍ୟକୀୟ କାଗଜପତ୍ର ପାଇଁ ସହଯୋଗ କରିବେ। ଏନେଇ ପ୍ରତି କାର୍ଯ୍ୟାଳୟରେ ହେଲ୍ପଡେସ୍କ ଖୋଲାଯିବ। ଏହାଦ୍ୱାରା କର୍ମଚାରୀମାନେ ସହଜରେ ଆବଶ୍ୟକୀୟ ପେନସନ୍ କାଗଜପତ୍ର ପ୍ରଦାନ କରିପାରିବେ । ବିଦ୍ୟାଳୟ ଓ ଗଣଶିକ୍ଷା, ରାଜସ୍ୱ, ପଂଚାୟତି ରାଜ, ଗୃହ, ଗ୍ରାମ୍ୟ ଉନ୍ନୟନ ଓ ଜଙ୍ଗଲ ବିଭାଗରେ ଅଧିକ ସଂଖ୍ୟକ କର୍ମଚାରୀ ଥିବାରୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଭାଗୀୟ ନିର୍ଦ୍ଦେଶକମାନଙ୍କୁ ପରାମର୍ଶ ଦିଆଯାଇଛି ।

ବିଭିନ୍ନ ତଥ୍ୟ ଅଭାବରୁ, ବୟସାଧିକ, ସ୍ୱାମୀ କିମ୍ୱା ସ୍ତ୍ରୀଙ୍କ ମୃତ୍ୟୁ କାରଣରୁ ପେନସନରୁ ବଞ୍ଚିତ କର୍ମଚାରୀଙ୍କ ଘରୁ ପେନସନ୍ ପତ୍ର ସଂଗ୍ରହ କରିବାକୁ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡିଲେ ଅନଲାଇନ ମାଧ୍ୟମରେ ପେନସନ୍ ପତ୍ର ସଂଗ୍ରହ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ । ଏହା ଛଡା ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିୟମାନୁଯାୟୀ ଯୋଗ୍ୟତା ଭିତ୍ତିକ ପଦୋନ୍ନତି ନିମନ୍ତେ ମଧ୍ୟ ଅଦାଲତ ଅନୁଷ୍ଠିତ ହେବ । ମୁଖ୍ୟ ଶାସନ ସଚିବଙ୍କ ସମେତ ୭ ଜଣ ବରିଷ୍ଠ ଅଧିକାରୀ ଅଦାଲତ କରିବେ । ସେମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗ ବଣ୍ଟନ କରାଯିବ । ତିନି ଦିନ ଧରି ଏହି ଅଦାଲତ ଅନୁଷ୍ଠିତ ହେବ ।