୪ ପୌରାଞ୍ଚଳ ଉପ-ନିର୍ବାଚନ ଫଳ, ସବୁଠି ବିଜେଡିର ବମ୍ପର ବିଜୟ

1 min read

ଭୁବନେଶ୍ବର : ବାହାରିଲା ୪ ପୌରାଞ୍ଚଳ ଉପ-ନିର୍ବାଚନର ଫଳ । ଏଥିରେ ବିଜେଡିର ବମ୍ପର ବିଜୟ ହୋଇଛି । ସମସ୍ତ ସ୍ଥାନରେ ନିକଟତମ ପ୍ରତିଦ୍ବନ୍ଦୀଙ୍କୁ ବହୁ ସଂଖ୍ୟକ ଭୋଟରେ ହରାଇଛନ୍ତି ବିଜେଡି ପ୍ରାର୍ଥୀ ।  ଜି. ଉଦୟଗିରି NAC ଅଧକ୍ଷ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ହୋଇଛି । ବିଜେଡି ପ୍ରାର୍ଥୀନୀ ଦେବଶ୍ମିତା ଶତପଥୀ ୨୩୫୫ ଭୋଟରେ  ବିଜେପି ପ୍ରାର୍ଥୀ ରଞ୍ଜିତା ନାୟକଙ୍କୁ ପରାସ୍ତ କରିଛନ୍ତି । ବିଜେଡିର ଏହି ବିପୁଳ ବିଜୟରେ ବିଜେଡି କର୍ମୀମାନେ ଆରମ୍ଭ କରିଛନ୍ତି ବିଜୟ ଉତ୍ସବ ।

ଗତକାଲି ହୋଇଥିବା ଉପନିର୍ବାଚନରେ ଭୋଟରମାନେ ବିଜେଡିକୁ ପୁଣି ଭରସା କରିଛନ୍ତି । ଜି. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡି ପ୍ରାର୍ଥୀ ଦେବଶ୍ମିତାଙ୍କୁ ୩୧୧୧ ଖଣ୍ଡ ଭୋଟ ମିଳିଥିଲାବେଳେ ବିଜେପି ପ୍ରାର୍ଥୀଙ୍କୁ ମାତ୍ର ୭୫୬ ଖଣ୍ଡ ଭୋଟ ମିଳିଛି । କଂଗ୍ରେସର ମଧୁଲିନା ଦିଗଲଙ୍କୁ ୬୧୪ଭୋଟ୍ ମିଳିଛି । ବିଜୟୀ ପ୍ରାର୍ଥୀନୀଙ୍କ ମାଆ ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗ ପରେ ଅଧ୍ୟକ୍ଷା ଆସନ ଖାଲି ପଡ଼ିଥିଲା ।

ସେହିପରି ଚିକିଟି ଏନଏସି ଓ୍ୱାର୍ଡ ଉପନିର୍ବାଚନରେ ବିଜେଡି ଜିତିଛି । ୩ନମ୍ବର ଓ୍ୱାର୍ଡରେ ବିଜେଡି ପ୍ରାର୍ଥୀ ହରପ୍ରସାଦ ଚୌଧୁରୀ ବିଜୟୀ ହୋଇଛନ୍ତି । ମୋଟ୍ ୫୦୧ ଭୋଟ୍ ମଧ୍ୟରୁ ହରପ୍ରସାଦଙ୍କୁ ୪୮୪ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀଙ୍କୁ ମାତ୍ର ୧୫ଖଣ୍ଡ ଭୋଟ୍ ମିଳିଛି ।

ଜଗତସିଂହପୁର ପୌର ପରିଷଦ ୬ନମ୍ବର ଓ୍ୱାର୍ଡରେ ମଧ୍ୟ ବିଜେଡି ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ରୋଜାଲିନ ଦାଶ କାଉନସିଲର ଭାବେ ନିର୍ବାଚିତ ହୋଇଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ ୪୦୭ ଖଣ୍ଡ ଭୋଟ୍‌ ମିଳିଛି । କଂଗ୍ରେସ ପ୍ରାର୍ଥୀଙ୍କୁ ୪୦୬ ଖଣ୍ଡ ଭୋଟ ଏବଂ ବିଜେପିକୁ ୨୧ ଖଣ୍ଡ ଭୋଟ୍‌ ମିଳିଛି ।

ସେହିପରି ଯୋଡ଼ା ପୌରପରିଷଦ ୮ ନମ୍ବର ୱାର୍ଡ ଉପନିର୍ବାଚନରେ ୫ ବିଜେଡି ପ୍ରାର୍ଥୀ ଶୁଭମ୍ ନାଏକ ୮୦୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ୨୨୯ ଖଣ୍ଡ ଭୋଟ ପାଇଛନ୍ତି ।

ବିଜେଡିର ଏହି ବିପୁଳ ବିଜୟ ପାଇଁ ବିଜୟୀ ପ୍ରାର୍ଥୀମାନେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନିର୍ମଳ ଶାସନ ସହ ଜନ କଲ୍ୟାଣ ଯୋଜନାକୁ ଶ୍ରେୟ ଦେଇଛନ୍ତି । ଭୋଟରମାନେ ବିଜୁ ଜନତା ଦଳ ପ୍ରତି ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞତା ଅର୍ପଣ କରିଛନ୍ତି ।