ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ଭ ଓ ଅରୁଣ ସ୍ତମ୍ଭକୁ ସ୍ପର୍ଶ ଓ ଆଲିଙ୍ଗନ କରିପାରିବେନି ଭକ୍ତ

ପୁରୀ: କରୋନା ପାଇଁ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି । ଏପ୍ରିଲ ୧ ତାରିଖ ଯାଏଁ ପୁରୀ ଆସୁଥିବା ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ଭ ଓ ଅରୁଣ ସ୍ତମ୍ଭକୁ ସ୍ପର୍ଶ ଓ ଆଲିଙ୍ଗନ କରିପାରିବେ ନାହିଁ । ଶ୍ରୀମନ୍ଦିରରେ ନିୟୋଜିତ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ତେବେ, ସେବାୟତଙ୍କ ପାଇଁ ଏହା ବାଧ୍ୟତାମୂଳକ ନୁହେଁ । ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଧାଡ଼ିରେ ଛଡ଼ାଯିବ । ଧାଡ଼ି ଦର୍ଶନ ବେଳେ ଅତିକମରେ ୧ ମିଟର ଦୂରତା ରହିବ । ଏଥିସହ ସହ ଶ୍ରଦ୍ଧାଳୁ ନିଜସ୍ୱ ଘୋଷଣା ନାମା ଦେବାକୁ ବାଧ୍ୟ । ପରିବାରର କେହି ବି ବିଦେଶ ଗସ୍ତ କରିଥିଲେ ଶ୍ରଦ୍ଧାଳୁ ଘୋଷଣା ନାମାରେ ତାହା ଉଲ୍ଲେଖ କରିବେ ।

ଶ୍ରୀମନ୍ଦିର ଚାରିଦ୍ୱାରରେ ସାନିଟେସନ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଭକ୍ତମାନେ ମହାପ୍ରସାଦ ଘରକୁ ନେଇ ଖାଇବାକୁ ନିବେଦନ କରାଯାଇଛି । ଶ୍ରୀମନ୍ଦିର ଭିତର କାଠରୁ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । ଏଥିରେ କୌଣସି କଟକଣା ନାହିଁ । କୋଣାର୍କ ମନ୍ଦିରକୁ ବିଦେଶୀଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଛି । ଅତି ଜରୁରି ନଥିଲେ ପୁରୀକୁ ଆସିବାକୁ ଥିବା ଭକ୍ତ ଓ ଯାତ୍ରୀ ସୁରକ୍ଷା କାରଣରୁ ଗସ୍ତ କାର୍ଯ୍ୟକ୍ରମ ସାମୟିକ ଭାବେ ସ୍ଥଗିତ କରିବାକୁ ନିବେଦନ କରାଯାଇଛି ।

ସମୁଦ୍ର କୂଳରେ ଅଯଥାରେ ବୁଲାବୁଲି ନକରିବା ଓ ନଗାଧେଇବାକୁ ଜିଲ୍ଲା ପ୍ରଶାସନ ନିବେଦନ କରିଛି । ବିଭିନ୍ନ ସ୍ଥାନରେ ମଧ୍ୟ ହେଲ୍ପ ଡେସ୍କ ଖୋଲାଯିବ । ପୁରୀରେ କରୋନା ସ୍କ୍ରିନିଂ ବ୍ୟବସ୍ଥା କରାଯିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଥିବା ସିଡିଏମଓ ସୂଚନା ଦେଇଛନ୍ତି । ସାରା ବିଶ୍ୱକୁ କରୋନା ଭଳି ଭୟଙ୍କର ଭାଇରସ୍ କବଳରୁ ମୁକ୍ତି ପାଇଁ ଜଗତ ମଙ୍ଗଳ ହୋମ କରାଯିବାକୁ ସେବାୟତଙ୍କ ସହ ଆଲୋଚନା କରାଯାଇ ବ୍ୟବସ୍ଥା ହେବ ।

କରୋନା: ଦ୍ୱିତୀୟ ପର୍ଯ୍ୟାୟରେ ହିଁ ଜିତିବାକୁ ହେବ ଯୁଦ୍ଧ

 

Leave a Reply