ଶକ୍ତିଶାଳୀ ହେବ କଂଗ୍ରେସ, ନୂଆ ଫର୍ମୁଲାରେ ମଜଭୁତ ହେବ ତୃଣମୂଳ ସଂଗଠନ

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ହେବ ଶକ୍ତିଶାଳୀ । ତେଣୁ ଏଥର ନୂଆ ଢାଞ୍ଚାରେ ତୃଣମୂଳ ସ୍ତରର ସଂଗଠନକୁ ମଜଭୁତ କରିବାକୁ ଅଣ୍ଟା ଭିଡିଛି ଦଳ । ପିସିସି ନୁହେଁ ଏଆଇସିସି ନିଜ କାନ୍ଧକୁ ନେଇଛି ଗୁରୁଦାୟିତ୍ବ । ଜିଲ୍ଲା ମୁଖିଆ ଚୟନ କରିବା ପାଇଁ ୩୫ ଜ’ଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି ଦଳ । ଏହି ପର୍ଯ୍ୟବେକ୍ଷକମାନେ ସଂଗଠନ ସୂର୍ୟନ ମାଧ୍ୟମରେ ଜିଲ୍ଲା ଗସ୍ତ କରି ସଭାପତି ବାଛିବେ । ଯାହାକୁ ନେଇ କଂଗ୍ରେସ ଶିବିର ଦେଖିବାକୁ ମିଳିଛି ଉତ୍ସାହ ।
ପିସିସି ନୁହେଁ, ଏଆଇସିସି ଚୟନ କରିବ ଜିଲ୍ଲା ମୁଖିଆ । ସଙ୍ଗଠନ ସୂର୍ୟନ ଅଭିଯାନ ମାଧ୍ୟମରେ ଜିଲ୍ଲା ସଭାପତି ଚୟନ କରାଯିବ । ଏଥିପାଇଁ ୩୫ ଜ’ଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି ଏଆଇସିସି । ଖୁବଶୀଘ୍ର ପର୍ଯ୍ୟବେକ୍ଷକମାନେ ଜିଲ୍ଲାସ୍ତରରେ ସଙ୍ଗଠନର ସମୀକ୍ଷା କରି ନେତା ଚୟନ ପ୍ରକ୍ରିୟାକୁ ତ୍ଵରାନିତ କରିବେ । ଗୁଜୁରାଟ ଢାଞ୍ଚାରେ ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ କରିବାକୁ ଫୋକସ କରିଛି ଏଆଇସିସି । ଜିଲ୍ଲା ସଙ୍ଗଠନରେ ଯେମିତି କୌଣସି ଗୋଷ୍ଠୀ ରହିବନି ତାକୁ ଗୁରୁତ୍ଵ ଦେଇ ଏପରି ଅଭିଯାନ ପ୍ରଥମ ଥର ଲାଗି ଓଡ଼ିଶାରେ ଆପଣାଇଛି ଏଆଇସିସି । ସୁପାରିସ କି ଲବି ନୁହେଁ, ଜିଲ୍ଲାସ୍ତରରୁ ଏଆଇସିସିର ଟିମ ତୃଣମୂଳ ସ୍ତରରେ କଂଗ୍ରେସ ସଙ୍ଗଠନକୁ ମଜଭୁତ କରିପାରୁଥିବା ନେତାଙ୍କୁ ଗୁରୁ ଦାୟିତ୍ବ ଦେବେ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି । ୨ ମାସ ମଧ୍ୟରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ କରାବାକୁ ଲକ୍ଷ୍ୟ ରଖିଛି ଦଳ । ଏଆଇସିସି ଏପରି ଅଭିଯାନକୁ ନେଇ ଦଳୀୟ ବିଧାୟକମାନେ ବେଶ ଉତ୍ସାହିତ ।
ପିସିସିର ୩୫ଟି ସାଂଗଠନିକ ଜିଲ୍ଲା ସଭାପତି ଚୟନ କରିବା ଲାଗି ଏଆଇସିସିର ନୂଆ ଫର୍ମୁଲାକୁ ନେଇ ଭିନ୍ନ ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ । ସଂଗଠନ ସୂର୍ୟନ ଅଭିଯାନ ଓଡିଶା କଂଗ୍ରେସକୁ କେତେ ବଳ ଯୋଗାଇବ ତାହା ଜିଲ୍ଲା ସଭାପତି ଚୟନ ପରେ ସ୍ପଷ୍ଟ ହେବ । ଉପକୂଳ ଓଡ଼ିଶାରେ ଦଳର ସଂଗଠନ ଦୁର୍ବଳ ରହିଛି । ଏହାକୁ ସଜାଡ଼ିବା ପାଇଁ ଏଆଇସିସି ନୂଆ ଢାଞ୍ଚାକୁ ଆପଣାଇଛି ବୋଲି ରାଜନୈତିକ ସମୀକ୍ଷକ କେ. ରବି କହିଛନ୍ତି ।
ଏଆଇସିସିର ୩୫ ଜଣ ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ଏନ.ରଘୁବୀର ରେଡ୍ଡୀ, ଜି ସି ଚନ୍ଦ୍ରଶେଖର, ଇ.ତୁକାରାମ, ଡିନ ଶ୍ରେୟାସ ପଟେଲ, ଡି.କେ. ସୁରେଶ, ଚେତନ ଚୌହାନ, ଗୋପୀନାଥ ପାଲାନିୟାପ୍ପନ, ମଣିଜ ଚୌହାଣ, ଗଣେଶ ୟାଦବ ପ୍ରମୁଖ ଅଛନ୍ତି । ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ପରେ ଏଆଇସିସି ତୃଣମୂଳ ସଂଗଠନ ସଜାଡିବା ଦାୟିତ୍ବ ନେଇଥିବାରୁ ଆଗକୁ ଦଳ କେତେ ସଫଳ ହେଉଛି ତାହା ଉପରେ ରହିବ ସମସ୍ତଙ୍କ ନଜର ।