ଋଷକୁ ଝଟକା: ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦରୁ ବିଦା ହେଲା

1 min read

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଯୁଦ୍ଧ ଓ ବୁଚା ନରସଂହାର ଋଷକୁ ପଡିଲା ମହଙ୍ଗା । ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ (UNHRC)ରୁ ବିଦା ହେଲା ଋଷ । UNHRCରୁ ଋଷକୁ ହଟାଇବା ପ୍ରସ୍ତାବ ସଂଯୁକ୍ତ ରାଷ୍ଟ୍ର ମହାସଭା (UNGA)ରେ ପାରିତ । ଚଳିତ ଥର ବି ଭୋଟିଂରେ ଅଂଶ ଗ୍ରହଣ କଲାନି ଭାରତ । ଋଷ ବିରୋଧ ପ୍ରସ୍ତାବ ସପକ୍ଷରେ ୯୩ ଭୋଟ ପଡିଥିଲା । ପ୍ରସ୍ତାବ ବିରୋଧରେ ୨୪ ଦେଶ ଭୋଟ ଦେଇଥିବା ବେଳେ ୫୮ ଦେଶ ଭୋଟିଂରେ ଭାଗ ନେଇ ନଥିଲେ ।

ଋଷ ବିରୋଧରେ ଏହି ପ୍ରସ୍ତାବ ଆମେରିକା ଆଣିଥିଲା । ବୁଚା ନରସଂହାର ଚିତ୍ର ଆସିବା ପରେ ଆମେରିକା ରାଜଦୂତ ଲିଣ୍ଡା ଥମସ୍ ଗ୍ରୀନଫିଲ୍ଡ ଋଷକୁ ମାନବାଧିକାର ପରିଷଦରୁ ବାଦ ଦେବାକୁ UNGAରେ ବିଶେଷ ବୈଠକ ଡକାଇ ଥିଲେ ।

ଦ୍ବିତୀୟ ଦେଶ ଭାବେ ବିଦା ହେଲା ଋଷ

୨୦୦୬ରେ ସ୍ଥାପନ ହୋଇଥିବା UNHRCରୁ ବିଦା ହେବାରେ ଋଷ ହେଉଛି ଦ୍ବିତୀୟ ଦେଶ । ୨୦୧୧ରେ ଲିବିଆକୁ ଏଥିରୁ ନିଲମ୍ବନ କରାଯାଇଥିଲା ।

ପୁଣି ଭୋଟିଂରୁ ଦୂରେଇ ରହିଲା ଭାରତ

ୟୁକ୍ରେନ ବିରୋଧରେ ଯୁଦ୍ଧ ଘଷୋଣା ପରଠାରୁ ଭିନ୍ନ ଭିନ୍ନ ବିଶ୍ବ ମଞ୍ଚରେ ଋଷ ଘେରିବାକୁ ଚେଷ୍ଟା କରାଯାଇଛି । ପ୍ରତିଥର ଭାରତ ଏଥିରୁ ଦୂରେଇ ରହିଛି । ୟୁକ୍ରେନ ଆକ୍ରମଣ ପରଠାରୁ ଋଷ ବିରୋଧରେ ଆମେରିକା, ବ୍ରିଟେନ ଓ ୟୁରୋପୀୟ ଦେଶଙ୍କ ଦ୍ବାରା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ, ମହାସଭା ଓ ମାନବାଧିକାର ପରିଷଦରେ ଅଲଗା ଅଲଗା ସମୟରେ ୧୦ରୁ ଅଧିକ ପ୍ରସ୍ତାବ ଅଣାଯାଇଛି । ଏହି ସବୁ ପ୍ରସ୍ତାବରେ ଭୋଟିଂ ବେଳେ ଭାରତ ସାମିଲ ହୋଇନାହିଁ ।