ବିଧାନ ପରିଷଦ ଗଠନ ସଂକଳ୍ପକୁ ଅନୁମୋଦନ ପାଇଁ ଉଠିଲା ଦାବି: କେନ୍ଦ୍ର ପାଖରେ ଶାଣିତ ହେବ ସ୍ୱର

ଭୁବନେଶ୍ୱର: ତେଲେଙ୍ଗାନା ଢାଞ୍ଚାରେ ଓଡ଼ିଶାରେ ହେବ ବିଧାନ ପରିଷଦ  । ଏନେଇ ସର୍ବ ସହମତି କ୍ରମେ ସଂକଳ୍ପ ବିଧାନସଭାରେ ପାରିତ ହୋଇଛି । ୩ବର୍ଷ ହେବ କେନ୍ଦ୍ରକୁ ସଂକଳ୍ପ ପଠାଯାଇଥିଲେ ମଧ୍ୟ ଏ ଯାଏଁ ସଂସଦର ଅନୁମୋଦନ ମିଳିପାରୁନି । ତୁରନ୍ତ ବିଧାନ ପରିଷଦ ଗଠନ କରିବା ପାଇଁ କଂଗ୍ରେସ ଓ ବିଜେଡି ଦାବି କରିଛନ୍ତି  । ଅନ୍ୟପଟେ ପରିଷଦ ଗଠନ ନେଇ ମାପିଚୁପି ମତ ରଖିଛି ବିଜେପି  ।

ପୁଣି ଫେରିଲା ବିଧାନ ପରିଷଦ ଗଠନ ପ୍ରସଙ୍ଗ । କେନ୍ଦ୍ରର ପାଖରେ ସ୍ୱର ଶାଣିତ କରିବ ରାଜ୍ୟ । ସଂକଳ୍ପକୁ ଅନୁମୋଦନ ପାଇଁ ଉଠିଲା ଦାବି  । ୨୦୧୫ ଜାନୁୟାରୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ବିଧାନ ପରିଷଦ କମିଟି ବିହାର ତେଲଙ୍ଗାନା, ମହାରାଷ୍ଟ୍ର, କର୍ଣ୍ଣାଟକ ଗସ୍ତ କରି ସେଠାରେ କିପରି ବିଧାନ ପରିଷଦ କାର୍ଯ୍ୟକାରୀ ହେଉଛି ଅନୁଧ୍ୟାନ କରିଥିଲା । ଅନୁଧ୍ୟାନ ପରେ କମିଟି ରିପୋର୍ଟ ବି ଦେଇଥିଲା  । ୬ ସେପ୍ଟେମ୍ବର  ୨୦୧୮, ବିଧାନସଭାରେ ସର୍ବ ସମ୍ମତି କ୍ରମେ ବିଧାନ ପରିଷଦ ସଂକଳ୍ପ ପାରିତ ହୋଇଥିଲା । ଏହାପରେ ସଂକଳ୍ପକୁ କେନ୍ଦ୍ରକୁ ପଠାଯାଇଥିଲା  । ଏହାରି ଭିତରେ ୩ ବର୍ଷ ବିତିଯାଇଛି  । ହେଲେ ଏଯାଏଁ ସଂସଦରେ ଏ ସଂକ୍ରାନ୍ତରେ ବିଲ କେନ୍ଦ୍ର ଆଣୁନାହିଁ  । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି  । ପୁନଃର୍ବାର ବିଧାନପରିଷଦ ବିଲ ଆଣିବା ପାଇଁ କେନ୍ଦ୍ର ପାଖରେ ରାଜ୍ୟ ଦାବି କରିବ ବୋଲି ବିଜେଡି କହିଛି  ।

ରାଜ୍ୟସଭା ପରି ଓଡ଼ିଶାରେ ବିଧାନପରିଷଦ କାର୍ଯ୍ୟକ୍ଷମ ହେବ  । ନିୟମ ଅନୁସାରେ ବିଧାନ ପରିଷଦର ୪୯ ଜଣ ସଦସ୍ୟ ରହିବେ  । ବିଭିନ୍ନ ବର୍ଗର ଲୋକ ବିଧାନ ପରିଷଦର ସଦସ୍ୟ ଭାବେ ମନୋନୀତ ହେବେ  । ଏଣୁ କେନ୍ଦ୍ର ସରକାର ଆଉ ଡେରି ନକରି, ଅନ୍ୟ ରାଜ୍ୟ ପରି ବିଧାନପରିଷଦ ବିଲକୁ ସଂସଦରେ ପାରିତ କରିବା ପାଇଁ ଦାବି କରିଛି କଂଗ୍ରେସ  । ବିଜେପି କିନ୍ତୁ ଅନ୍ୟ ରାଜ୍ୟର ଉଦାହରଣ ଦେଇ ଏ ପ୍ରସଙ୍ଗକୁ ଏଡାଇ ବାକୁ ଚେଷ୍ଟା କରିଛି  । ବିଧାନପରିଷଦର ସଂକଳ୍ପ କେବେ ସଂସଦରେ ପାସ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବ ତାକୁ ଅପେକ୍ଷା ।

ଏଥିସହିତ ପଢ଼ନ୍ତୁ: ୮୯ ବହୁମୁଖୀ ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ଆନନ୍ଦ ମହିନ୍ଦ୍ରାଙ୍କ ପ୍ରଶଂସା

Leave a Reply