ତହସିଲଦାର୍ ଥିବାବେଳେ ସରକାରୀ ଜମିକୁ ବେଆଇନ୍ ଭାବେ କରି ଦେଇଥିଲେ ପଟ୍ଟା
1 min read
ଭୁବନେଶ୍ୱର: ରାଉରକେଲାର ପୂର୍ବତନ ତହସିଲଦାର ମାନସ ରଞ୍ଜନ ସାହୁଙ୍କ ଇସ୍ତଫା ଅଗ୍ରାହ୍ୟ କରିଛନ୍ତି ରାଜ୍ୟ ସରକାର । ରାଉରକେଲାରେ ତହସିଲଦାର ଭାବେ କାମ କରୁଥିବା ବେଳେ ମାନସ ସରକାରୀ ଜାଗାକୁ ବେଆଇନ୍ ଭାବେ ୨ ଜଣ ବ୍ୟକ୍ତିଙ୍କ ନାଁରେ ପଟ୍ଟା କରି ଦେଇଥିବା ଅଭିଯୋଗ ହୋଇଥିଲା । ଏହାରି ଭିତରେ ସେ ଆଇଏସ୍ ପାଇଥିଲେ ।
ଇଣ୍ଡିଆନ୍ ରେଲୱେଜ୍ ଆକାଉଣ୍ଟ୍ସ ସର୍ଭିସ୍ (IRAS)ରେ ପ୍ରୋବେସନର ଭାବେ ଯୋଗ ଦେବା ପରେ ମାନସ ରାଉରକେଲା ତହସିଲଦାର ପଦରୁ ଇସ୍ତଫା ଦେଇଥିଲେ । ଯାହାକୁ ସରକାର ଅଗ୍ରାହ୍ୟ କରି ଦେଇଛନ୍ତି । ଏଥିସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମାନସଙ୍କୁ ନୋଟିସ୍ ଜାରି କରିଛି ।
ନୋଟିସରେ କୁହାଯାଇଛି, ମାନସ ରାଉରକେଲା ତହସିଲଦାର ଥିବାବେଳେ ରାଉରକେଲା ଟାଉନସିପରେ ଥିବା ମୂଲ୍ୟବାନ ସରକାରୀ ଜମିକୁ ବେଆଇନ୍ ଭାବେ ସେଟେଲମେଣ୍ଟ କରିଥିଲେ । ଯାହାକି ଚାକିରି ସର୍ତ୍ତାବଳୀର ଅବମାନନା । ଏହାକୁ ନେଇ ତଦନ୍ତ ଚାଲିଛି । ତେଣୁ, ଇସ୍ତଫା ଅଗ୍ରାହ୍ୟ କରାଯାଇଥିବା ସରକାର ସୂଚନା ଦେଇଛନ୍ତି ।
ମାନସ ତହସିଲଦାର ଥିବାବେଳେ ପାନପୋଷ ଶବ ବ୍ୟବଚ୍ଛେଦ ଗୃହ ନିକଟରେ ଥିବା ୨ ଏକର ୯୭ ଡିସିମିଲ୍ ମୂଲ୍ୟବାନ ସରକାରୀ ଜମିକୁ ଜଣେ ବ୍ୟକ୍ତିଙ୍କ ନାଁରେ ବେଆଇନ୍ ପଟ୍ଟା କରି ଦେଇଥିଲେ । ଏଭଳିକି ଉଦିତନଗରରେ ଥିବା ମୂଲ୍ୟବାନ ୯୫ ଡିସିମିଲ୍ ଜମିକୁ ଜଣେ ବ୍ୟକ୍ତିଙ୍କ ନାଁରେ ପଟ୍ଟା କରିଥିବା ଅଭିଯୋଗ ହୋଇଥିଲା । ପାନପୋଷ ଜମିର ବେସରକାରୀ ମୂଲ୍ୟ ୫୦ କୋଟିରୁ ଅଧିକ ଥିବାବେଳେ ଉଦିତନଗର ଜମିର ମୂଲ୍ୟ ୨୫ କୋଟିରୁ ଅଧିକ ରହିଛି । ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ସହ ଭିଜିଲାନ୍ସ ତଦନ୍ତ ଜାରି ରହିଛି ।