ଓବିସିକୁ ସଂରକ୍ଷଣ ଲଲିପପ ; ପ୍ରବଞ୍ଚନା କରୁଛନ୍ତି ଡବଲ ଇଞ୍ଜିନ ସରକାର

ଭୁବନେଶ୍ବର: ପଛୁଆ ବର୍ଗକୁ ହେଙ୍ଗୁ ଶୁଙ୍ଘେଇ ଅନ୍ୟାୟ କରୁଛନ୍ତି ସରକାର । ସଂରକ୍ଷଣ ନାଁରେ ପ୍ରବଞ୍ଚନା କରୁଛନ୍ତି ଡବଲ ଇଞ୍ଜିନ ସରକାର । ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ବିରୋଧୀ ନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ସାମାଜିକ ଓ ଆର୍ଥିକ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାରେ ସଂରକ୍ଷଣ ଏକ ପ୍ରହେଳିକା । ଯୁକ୍ତ ତିନିରେ ରାଜ୍ୟରେ ପ୍ରତି ବର୍ଷ ପ୍ରାୟ ୮୦ହଜାର ସିଟ ଖାଲି ପଡୁଛି । ସେଠାରେ ସଂରକ୍ଷଣ ଦେଇ କିଛି ଐତିହାସିକ ନିଷ୍ପତ୍ତି ନେଇନାହାଁନ୍ତି ସରକାର । ଯଦି ସରକାର ପଛୁଆ ବର୍ଗକୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ମେଡିକାଲ, ଇଞ୍ଜିନିୟରିଂ ପରି ବୃତ୍ତିଗତ ଶିକ୍ଷାରେ ସଂରକ୍ଷଣ ଦେବାକୁ ଦାବି କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଜ୍ୟ ସରକାରଙ୍କ ସଂରକ୍ଷଣ ନୀତିକୁ ତୀବ୍ର ସମାଲୋଚନା କରିବା ସହ ଆସନ୍ତା ୨୧ ତାରିଖରେ ରାଜଭବନ ଆଗରେ ସତ୍ୟାଗ୍ରହ କରିବାକୁ ଘୋଷଣା କରିଛି । ଆଗାମୀ ଦିନରେ ସବୁ ଜିଲ୍ଲାରେ ଘେରାଉ ସାଙ୍ଗକୁ ସରକାରଙ୍କ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ବିରୋଧୀ ନୀତି ବିରୋଧରେ ଜନ ଆନ୍ଦୋଳନ କରିବ ବିଜେଡି ।

ବିଜେପି ସରକାର ଆଉ ଦିନ କେଇଟାରେ ବର୍ଷ ପୂର୍ତ୍ତି ଉତ୍ସବ ପାଳିବାକୁ ଯାଉଛି । ଗତ ବର୍ଷକ ଭିତରେ ବିଜେପି ରାଜ୍ୟରେ ପ୍ରତିଶ୍ରୁତି ପାଳନରେ ଫେଲ ମାରିଛି । ତେଣୁ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ସଂରକ୍ଷଣର ଗୋଲି ଦେଉଛି । କେବଳ ନାଁ ପରିବର୍ତ୍ତନ ଓ ରଙ୍ଗ ବଦଳାଉଥିବା ସରକାରକୁ କଂଗ୍ରେସ ମଧ୍ୟ ସମାଲୋଚନା କରିଛି । ସେପଟେ ବିଜେପି ପୂର୍ବ ପରି ଏହାକୁ ଏକ ଐତିହାସିକ ନିଷ୍ପତ୍ତି ବୋଲି ଦାବି କରିବା ସହ ସରକାର ସାମାଜିକ ନ୍ୟାୟ ପ୍ରଦାନ କରିଥିବା ଦାବି କରିଛନ୍ତି ।

ସାରା ଦେଶରେ ପଛୁଆ ବର୍ଗକୁ ବୃତ୍ତିଗତ ଶିକ୍ଷାରେ ସର୍ବନିମ୍ନ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉଛି । ଆନ୍ଧ୍ରପ୍ରଦେଶ ୨୭ ପ୍ରତଶତ, କର୍ଣ୍ଣାଟକ ୩୨ ପ୍ରତିଶତ, ତେଲେଙ୍ଗାନା ୨୯ ପ୍ରତିଶତ, ତାମିଲନାଡୁ ୩୦ ପ୍ରତିଶତ, ପଂଜାବ, ଗୁଜରାଟ, ମହାରାଷ୍ଟ୍ର ମଧ୍ୟ ୨୭ ପ୍ରତିଶତ ସଂରକ୍ଷଣ ଦେଉଛନ୍ତି । ହେଲେ ବିଜେପି ସରକାର ଶାସିତ ରାଜ୍ୟରେ ପଛୁଆ ବର୍ଗକୁ ଆଦୌ ସଂରକ୍ଷଣ ଦେଉନାହାଁନ୍ତି । ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରଛାତ୍ରୀ ଓ ଯୁବକଙ୍କୁ ସେମାନଙ୍କ ଜନସଂଖ୍ୟା ଆଧାରରେ ସଂରକ୍ଷଣ ଦେବାକୁ ସବୁ ମହଲରୁ ଦାବି ଜୋରଦାର ହେଉଛି ।