ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ

ଭୁବନେଶ୍ବର: ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାକୁ ସଫଳ କରିବା ଲାଗି (ରିଜର୍ଭେସନ ବଚାଓ ସଂଘର୍ଷ ସମିତି) ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପକ୍ଷରୁ ଆହ୍ବାନ କରାଯାଇଛି। ବନ୍ଦ ପାଳନ ସମୟରେ ସମ୍ପୂର୍ଣ୍ଣ ରୂପେ ଚକ ବନ୍ଦ ରହିବ।

ଏହାକୁ କିପରି ସଫଳ କରାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ବାବାସାହବ ଡ. ଭୀମରାଓ ଆମ୍ବଡେକର ସମ୍ବିଧାନରେ ଅନୁସୂଚିତ ଜାତି ଓ ଜନଜାତମାନଙ୍କୁ ଯେଉଁ ଅଧିକାର ଦେଉଛନ୍ତି, ସେଥିରେ କାଣ୍ଟଛାଣ୍ଟ କରାଯିବା ଅନୁଚିତ। ନିକଟରେ ସୁପ୍ରିମକୋର୍ଟ ସରକାରୀ ଚାକିରିରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ରହିଥିବା ସଂରକ୍ଷଣ କୋଟାର ଉପବର୍ଗୀକରଣ କରାଯାଇପାରିବ ବୋଲି ରାୟ ଶୁଣାଇଥିଲେ।

ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିରେ ଥିବା ସ୍ଵଚ୍ଛଳ ବର୍ଗଙ୍କୁ ବାଦ୍ ଦେଇ ଅବହେଳିତ, ନିଷ୍ପସିତମାନଙ୍କୁ ଅଧିକ ସଂରକ୍ଷଣ ସୁବିଧା ପ୍ରଦାନ କରିପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ୭ ଜଣିଆ ବୃହତ୍ତ ଖଣ୍ଡପୀଠ ରାୟ ଶୁଣାଇଥିଲେ। ଏହାକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସେପଟେ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକସେବା ଭବନ ଓ ଖାରବେଳ ଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡି କରିବାକୁ ର୍ନିର୍ଦ୍ଦେଶ ଦିଆଯାଇଛି । ପ୍ରବେଶ ଓ ପ୍ରସ୍ତାନ ନେଇ ନିର୍ଦ୍ଦେଶନାମ ବି ଜାରି ହୋଇଛି ।