କପିଳାଶକୁ ହାତୀ ଛୁଆ ସ୍ଥାନାନ୍ତରିତ, ୫କୁ ବଢିଲା କୁନି ହାତୀ ସଂଖ୍ୟା

ଗଞ୍ଜାମ: ଗଞ୍ଜାମର ଟିକିଟି ବାହୁଡା ହ୍ରଦରୁ ଉଦ୍ଧାର ହୋଇଥିବା ହାତୀ ଛୁଆକୁ ଢେଙ୍କାନାଳସ୍ଥିତ କପିଳାଶକୁ ସ୍ଥାନାନ୍ତରିତ କରାଯାଉଛି ।

ଏସମ୍ପର୍କରେ ସୂଚନା ଦେଇ ନନ୍ଦିଘୋଷ ଟିମକୁ ଢେଙ୍କାନାଳ ଡିଏଫଓ କହିଛନ୍ତି ଯେ ହାତୀ ଛୁଆ ପାଇଁ ସ୍ୱତନ୍ତ୍ର ଘର ପ୍ରସ୍ତୁତ ହେଉଛି। ଏଥିସହିତ ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ଘରେ ସ୍ୱତନ୍ତ ବନ୍ଦୋବସ୍ତ କରାଯିବ। କପିଳାଶରେ ପୂର୍ବରୁ ଥିଲେ ୪ ଟି ହାତୀ। ଏହି ହାତୀ ଛୁଆକୁ ମିଶାଇଲେ ମୋଟ୍ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଛୁଆ ହାତୀ ସହ କପିଳାଶରେ ରହିଛି ଆଉ ଏକ ଛୁଆ ହାତୀ । ତା’ର ନା ହିରୋ । ଏବେ ଏହି ଛୁଆ ହାତୀ ଓ ହିରୋ ୨ ବନ୍ଧୁ ହେବେ ।

ଆଜି ଗଞ୍ଜାମର ଟିକିଟି ସ୍ଥିତ ସୋରଳରୁ ଉଦ୍ଧାର ହୋଇଥିବା କୁନି ହାତୀଛୁଆ କପିଳାଶ ଚିଡିଆଖାନାକୁ ପଠାଯାଉଛି। ହାତୀ ଛୁଆକୁ ସ୍ଥାନାନ୍ତରିତ କରିବା ଲାଗି ୱାଇଲ୍ଡ ଲାଇଫ୍ ପିସିସିଏଫ ସିଫ୍ଟିଂ ପାଇଁ ଅନୁମତି ଦେଇଥିଲେ । ଯାହାକୁ ଦୃଷ୍ଟିରେ ରଖି ହାତୀ ସିଫ୍ଟ ପ୍ରକ୍ରିୟା ଆରମ୍ଭ କରାଯାଉଛି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ସ୍ୱତନ୍ତ୍ର ଗାଡି ଯୋଗେ ହାତୀ ଛୁଆକୁ କପିଳାଶ ପଠାଯିବ। ଏନେଇ କପିଳାଶ ଚିଡିଆଖାନାରେ ସମସ୍ତ ବନ୍ଦୋବସ୍ତ କରାଯାଇଛି।

ଏହା ପୂର୍ବରୁ ହାତୀ ଛୁଆକୁ ପ୍ରଥମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତରଣ କରିବାକୁ ବ୍ୟବସ୍ଥା କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ କପିଳାଶ ପଠାଇବାକୁ ଯୋଜନା କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହାତୀପଲ ଗଂଜାମ ଟିକିଟି ସୋରଳର ବାହୁଦା ହ୍ରଦରେ ଫସି ଯାଇଥିଲେ । ବହୁ କସରତ ପରେ ବନବିଭାଗର ହାତୀପଲ ହ୍ରଦରୁ ବାହାରିଥିଲେ। ମାତ୍ର ହାତୀ ଛୁଆଟିଏ ଫସିରହିଥିଲା। ମତ୍ସ୍ୟଜୀବୀଙ୍କ ସାହାଯ୍ୟରେ ହାତୀଛୁଆକୁ ଉଦ୍ଧାର କରାଯାଇଥିଲା ସତ, ହେଲେ ହାତୀପଲ ଆଉ ସାଙ୍ଗରେ ନେଇନଥିଲା। ମଣିଷ ଛୁଇଁ ଦେଇଥିବାରୁ ହାତୀ ଛୁଆଟିକୁ ଛାଡି ଚାଲି ଯାଇଥିଲେ ହାତୀ ପଲ। ଯଦିଓ ଦଳର ନିଷ୍ପତ୍ତିରେ ମାଆ ସିନା ମମତାକୁ ଭୁଲିଗଲା, ହେଲେ ମାଆର ସେନେହଁକୁ ଭୁଲି ପାରୁନଥିଲା କୁନି ହାତୀ । ଗୁମୁରୁଗୁମୁରି ଚାରିକାନ୍ଥ ଭିତରେ ଖୋଜିଥିଲା ମାଆ କୋଳ ।  ମଣିଷ ଛୁଇଁଦେଲା ବୋଲି ମାଆ ପର କରି ଚାଲିଗଲା  । ଆଉ ଏବେ ଖୋଲା ଆକାଶ ତଳେ ନିଜ ଜାତି ସହ ବିତାଇଥିବା ପ୍ରତିଟି ମୁହୁର୍ତ୍ତକୁ ଏକପ୍ରକାର ଅଣ୍ଡାଳିଥିଲା ଏଇ ଛୁଆ ହାତୀ। ଯାହା ପରେ ହାତୀ ଛୁଆକୁ ଚିଡିଆଖାନା ପଠାଇବାକୁ ସ୍ଥିର କରିଥିଲା ବନବିଭାଗ ।

Leave a Reply