spot_img

Latest Posts

ବରଯାତ୍ରୀରେ ଯାଇଥିଲେ, କୋକେଇରେ ଫେରିଲେ

ଖୋର୍ଦ୍ଧା: ବର ସହ ବରଯାତ୍ରୀରେ ଯାଇଥିଲେ । କନ୍ୟା ଘର ଗାଁରେ ବରକୁ ରୋସଣିରେ ନେବା ସହ ନାଚଗୀତର ଆସରରେ ହଜିଯିବାକୁ ଭାବିନେଇଥିଲେ । କିନ୍ତୁ କନ୍ୟା ଘର ଗ୍ରାମରେ ଯାହା ଘଟିଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏମିତି ଏକ ଅଘଟଣ ଘଟିଛି ଖୋର୍ଦ୍ଧାରେ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ରମାବିଲି ଗାଁ ର ଏକ କୂଅରେ ଜଣେ ଯୁବକର ମୃତ ଦେହ ଭାସୁ ଥିବା ଦେଖିବାକୁ ମିଳିଛି।

ଅନୁସନ୍ଧାନରୁ ଜଣା ପଡିଛି ଯେ, ମୃତକ ହେଲେ ନିରାକାରପୁର ଥାନା ଅନ୍ତର୍ଗତ ଡିଆ ଗ୍ରାମ ର କେଦାରନାଥ ସାହୁଙ୍କ ଏକମାତ୍ର ପୁଅ ବିକାଶ ସାହୁ। ବିକାଶ ଗତ ୯ ତାରିଖ ଦିନ ଡିଆ ଗ୍ରାମର ତ୍ରିନାଥ ଵାରିକଙ୍କ ପୁଅ ବାହାଘରରେ ବରଯାତ୍ରୀ ହୋଇ ରମାବିଲି ଗ୍ରାମକୁ ଆସିଥିଲେ। କନ୍ୟା ଘରକୁ ବର ଗଲାବେଳେ କିଛି ଗଣ୍ଡଗୋଳ ଘଟିଥିଲା। କନ୍ୟା ଗ୍ରାମର ଲୋକଙ୍କ ଆକ୍ରମଣରେ ବରଯାତ୍ରୀ ମାନେ ଦୌଡ଼ି ପଳାଇଥିବା ବେଳେ ବିକାଶ କିନ୍ତୁ ଫେରି ନଥିଲା। ବହୁ ଖୋଜା ଖୋଜି ପରେ ପୁଅକୁ ନପାଇ ବାପା କେଦାରନାଥ ସାହୁ ଜଙ୍କିଆ ଥାନାରେ ଏ ସମ୍ପର୍କରେ ଏକ ଏତଲା ଦେଇଥିଲେ।

କିନ୍ତୁ ଆଜି ସକାଳୁ ବିକାଶର ମୃତ ଦେହ ରମାବିଲିର ଏକ କୂଅରେ ଭାସୁଥିବାର ଦେଖି ପରିବାର ଲୋକେ ଏବଂ ପୋଲିସ ପହଞ୍ଚି ଚିହ୍ନଟ କରିଛନ୍ତି। ପୁଅର ଏଭଳି ମୃତ୍ୟୁକୁ ପରିବାର ଲୋକେ ବିଶ୍ବାସ କରିପାରୁନଥିବାବେଳେ ଏକ ମାତ୍ର ପୁଅକୁ ହରାଇ କେଦାରନାଥଙ୍କ ପରିବାରରେ ଅସହାୟ ହୋଇପଡିଛନ୍ତି । ସେପଟେ ମୃତ୍ୟର କାରଣ ଏବଂ ହତ୍ୟାକାରୀକୁ ଧରିବାକୁ ତଦନ୍ତ ଚଳାଇଛି ପୋଲିସ।

Latest Posts

Don't Miss