ବୋରଓ୍ବେଲରେ ଫଶିଛି ଜୀବନ, ୧୨ ଘଣ୍ଟା ଧରି ଚାଲିଛି ରେସ୍କ୍ୟୁ ଅପରେସନ

1 min read

ଭୋପାଳ : ବୋରଓ୍ବେଲରେ ଫଶିଛି ଜୀବନ । ୧୨ ଘଣ୍ଟା ଧରି ଚାଲିଛି ରେସ୍କ୍ୟୁ ଅପରେସନ । ୮ ବର୍ଷର ତନ୍ମୟ ପାଇଁ ଜାରି ରହିଛି ଅପରେସନ ଜିନ୍ଦେଗୀ । ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭୀରେ ଏକ ବୋରଓ୍ବେଲ ଭିତରେ ତନ୍ମୟ ଫଶି ରହିଛି । ୪ଶହ ଫୁଟର ବୋରଓ୍ବେଲର ପ୍ରାୟ ୫୫ ଫୁଟ ଭିତରେ ତନ୍ମୟ ଅଟକିରହିଛି । ଆଜି ସକାଳୁ NDRF ଓ SDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ ପୁଣି ଆରମ୍ଭ ହୋଇଛି।

ତନ୍ମୟକୁ ସୁରକ୍ଷିତ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ଦ୍ଦେଶ ଜାରି କରିଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ରେସ୍କ୍ୟୁ ଅପରେସନ ଉପରେ ନଜର ରଖିଛି । ଜିଲ୍ଲାପାଳ, ଏସପି ଓ ଭୋପାଲ ଚିଫ୍ ମେଡିକାଲ ଅଫିସର ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଗତକାଲି ସନ୍ଧ୍ୟାରେ ଖେଳୁଥିବା ବେଳେ ତନ୍ମୟ ବୋରଓ୍ବେଲ ମଧ୍ୟରୁ ଖସି ପଡ଼ିଥିଲା ।

ଉଦ୍ଧାରକାରୀ ଟିମ୍ ତନ୍ମୟ ପାଖରେ ପହଞ୍ଚିବାକୁ ଚେଷ୍ଟା ଚଳାଇଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଘଟଣାସ୍ଥଳରେ ଭିଡ଼ ଜମାଇଛନ୍ତି । ତନ୍ମୟକୁ ଅକ୍ସିଜେନ ସିଲିଣ୍ଡର ଯୋଗେ ଅକ୍ସିଜେନ ପହଞ୍ଚା ଯାଉଥିବା ବେଳେ ତା’ର ପ୍ରତି ମୁଭମେଣ୍ଟ ଉପରେ ଉଦ୍ଧାରକାରୀ ଟିମ୍ ନଜର ରଖିଛି । ତନ୍ମୟର ରେସ୍କ୍ୟୁ ଅପରେସନକୁ ଜିଲ୍ଲା ପ୍ରଶାସନ ମନିଟରିଂ କରୁଛି ।