ଛତିଶଗଡ଼ରେ ବୋରଓ୍ବେଲ ଟ୍ରାଜେଡି: ଏବେବି ଚାଲିଛି ସର୍ଚ୍ଚ ଅପରେସନ

1 min read

ରାୟପୁର: ଦୁଇ ରାତି ଓ ଗୋଟିଏ ଦିନର ମେଗା ଅପରେସନ ସତ୍ତ୍ବେ ଉଦ୍ଧାର ହୋଇପାରିନି ରାହୁଲ । ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲା ଅନ୍ତର୍ଗତ ପିହରିଡ଼ ଗ୍ରାମରେ ୮୦ ଫୁଟ ବୋରଓ୍ବେଲରେ ଫସି ରହିଥିବା ରାହୁଲକୁ ଉଦ୍ଧାର ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତ ଶୁକ୍ରବାର ଅପରାହ୍ମ ୩ଟାରୁ ବୋରଓ୍ବେଲରେ ଫସି ରହିଥିବା ରାହୁଲକୁ ଉଦ୍ଧାର ଲାଗି ନିୟୋଜିତ ହୋଇଛନ୍ତି ଓଡ଼ିଶାର ଏକ ଟିମ୍ ସହ ୨ଟି NDRF ଟିମ ଓ SDRF ଟିମ୍ । ସିସିଟିଭି ଫୁଟେଜ ଅନୁସାରେ ୬୦ରୁ ୭୦ ଫୁଟ ଗଭୀର ମଧ୍ୟରେ ରହିଛି ରାହୁଲ । ସେ ଖାଦ୍ୟ ଓ ଅକ୍ସିଜେନ ଗ୍ରହଣ କରିପାରୁଛି । ଦୁଇଟି କଦଳୀ ଏବଂ ORS ଦିଆଯାଇଛି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ପୋଲିସ ମୁତୟନ ରହିଛନ୍ତି ।

ଖନନ କାର୍ଯ୍ୟରେ ଜେସିବି ଓ ପୋକଲେନ ନିୟୋଜିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ ଫୁଟ୍ ଖୋଳାଯାଇଛି । ବାକି ୧୫ ଫୁଟ ଚିପିଙ୍ଗ ହାମର ଦ୍ବାରା ଟନେଲ କରାଯିବ । ଶିଶୁର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ଏକ ଡାକ୍ତରୀ ଟିମ୍ । ସେଠାରେ ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା ଓ ଏସପି ବିଜୟ ଅଗ୍ରଓ୍ବାଲ ଉପସ୍ଥିତ ଅଛନ୍ତି । ଆର୍ମିର କେତେକ ବିଶେଷଜ୍ଞ ମଧ୍ୟ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ରାହୁଲର ଉଦ୍ଧାର ଲାଗି ଗାଁରେ ପୂଜାର୍ଚ୍ଚନା ମଧ୍ୟ ଜାରି ରହିଛି ।

ସେପଟେ ରାଜ୍ୟରେ ଖୋଲା ପଡ଼ିଥିବା ସମସ୍ତ ବୋରଓ୍ବେଲକୁ ତୁରନ୍ତ ବନ୍ଦ କରିବା ଲାଗି ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଉଦ୍ଧାର ପ୍ରକ୍ରିୟା ନେଇ ଗୁଜରାଟ ସୁରଟର ରୋବଟ ସ୍ପେଶାଲିଷ୍ଟମାନଙ୍କ ସହ ଯୋଗସୂତ୍ରରେ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।